ବିଧାନସଭା ମୌସୁମୀ ଅଧିବେଶନ: ଜୁଲାଇ ୨ରୁ ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ଚାଲିବ ବିଧାନସଭା, କଟକଣା ଯୁକ୍ତ ଓ ସାମ୍ବାଦିକ ମୁକ୍ତ ଚାଲିବ ଗୃହ କାର୍ଯ୍ୟ

ଭୁବନେଶ୍ବର,ଏନ୍ଏନ୍ଏସ୍: ବିଧାନସଭାର ମୌସୁମୀ ଅଧିବେଶନ ସୁରୁଖୁରୁରେ ଚଳାଇବା ପାଇଁ ଆଜି ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିଛି। ବିରୋଧୀ ଦଳର ସହଯୋଗ ଓ ବିନା ବାଧାରେ ଗୃହ ଚାଲିବା ପାଇଁ ବୈଠକରେ ଆଲୋଚନା ହୋଇଛି। ୫ ଘଣ୍ଟା ବଦଳରେ ଦିନକୁ ୬ ଘଣ୍ଟା ଗୃହ ଚଲେଇବା ନେଇ ବୈଠକରେ ନିଷ୍ପତ୍ତି ହୋଇଛି। ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଗୃହ କାର୍ଯ୍ୟ କଟକଣା ଯୁକ୍ତ ଓ ପ୍ରେସ ଗ୍ୟାଲେରୀ ସାମ୍ବାଦିକ ମୁକ୍ତ ଚାଲିବ ବୋଲି ନିଷ୍ପତ୍ତି ହୋଇଛି। ଏନେଇ ସୂଚନା ଦେଇଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ।

ବାଚସ୍ପତିଙ୍କ ସୂଚନା ଅନୁସାରେ, ”ବିଧାନସଭା ଶୃଙ୍ଖଳିତ ଢଙ୍ଗରେ ଚଲେଇବା ନେଇ ବିରୋଧୀ ଦଳଙ୍କ ସହଯୋଗ ଲୋଡ଼ା ଯାଇଛି। ଆଲୋଚନା ମାଧ୍ୟମରେ ସମସ୍ୟା ସମାଧାନ ଲାଗି କୁହାଯାଇଛି। ଚଳିତ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଗୃହ କାର୍ଯ୍ୟ ଚାଲିବ। ପ୍ରଥମ ପର୍ଯ୍ୟାୟ ସାଢେ ୧୦ରୁ ଅପରାହ୍ନ ସାଢେ ୧ଟା ଓ ଦ୍ବିତୀୟ ପର୍ଯ୍ୟାୟରେ ଅପରାହ୍ନ ୪ଟାରୁ ୬ଟା ପରିବର୍ତ୍ତେ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚାଲିବ। ପୂର୍ବରୁ ୫ ଘଣ୍ଟା ଗୃହ ଚାଲୁଥିଲା। ଏନେଇ ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଫଳରେ ବିଧାୟକମାନେ ନିଜ ଅଞ୍ଚଳର ସମସ୍ୟା ବାବଦରେ ଅଧିକ କହିପାରିବେ।”

ସେ ଆହୁରି ମଧ୍ୟ କହିଛନ୍ତି ଯେ, ”ଦେଶ ଓ ରାଜ୍ୟରେ କୋରୋନା ସଂକ୍ରମଣ ବଢୁଛି। କେନ୍ଦ୍ର ସରକାର ଏନେଇ ରାଜ୍ୟ ସରକାରଙ୍କୁ ଅବଗତ କରିଛନ୍ତି। ସତର୍କତା ଅବଲମ୍ବନ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ତେଣୁ ପୂର୍ବ ଅଧିବେଶନ ପରି ପ୍ରେସ ଗ୍ୟାଲେରୀକୁ ଗଣମାଧ୍ୟମକୁ ବାରଣ କରାଯିବ। ଜୁଲାଇ ୨ରୁ ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ଚାଲିବ ବିଧାନସଭା। ଦୁଇଟି ପର୍ଯ୍ୟାୟରେ ମୋଟ ୨୪ଟି କାର୍ଯ୍ୟଦିବସ ରହିବ। ବିଧାନସଭାର ପ୍ରଥମ ଦିନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ। ଜୁଲାଇ ୩୦ ତାରିଖରେ ଆଗତ ହେବ ବ୍ୟୟ ମଞ୍ଜୁରୀ ବିଧେୟକ।”

ସର୍ବଦଳୀୟ ବୈଠକରେ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ, ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ବିଧାୟକ ପ୍ରଣବ ପ୍ରକାଶ ଦାସ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ। ଆଜିଠୁ ୩ ଦିନ ପର୍ଯ୍ୟନ୍ତ ବିଧାନସଭାରେ ବିଧାୟକଙ୍କ କରୋନା ଟେଷ୍ଟ କରାଯାଉଛି। ବିଧାନସଭାର କର୍ମଚାରୀ, ସୁରକ୍ଷାକର୍ମୀ, ସାମ୍ବାଦିକଙ୍କର କରୋନା ଟେଷ୍ଟ କରାଯାଉଛି।