ୟୁପି ବିଧାୟକଙ୍କୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତର ଆପଲ୍ ଆଇପ୍ୟାଡ୍ କିଣିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ସମସ୍ତ ବିଧାୟକଙ୍କୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତର ଆପଲ୍ ଆଇପ୍ୟାଡ୍ କିଣିବାକୁ କୁହାଯାଇଛି। ଉତ୍ତରପ୍ରଦେଶର ବଜେଟ ଅଧିବେସନ ଆସନ୍ତା ୧୮ ତାରିଖରୁ ଆରମ୍ଭ ହେବ। ବଜେଟକୁ ଯୋଗୀ ସରକାର ପେପରମୁକ୍ତ କରିବାକୁ ଚାହୁଁଥିବାରୁ ଏଭଳି ପଦକ୍ଷେପ ନେଇଛନ୍ତି। ଆଉ ଏହି ଆଇପ୍ୟାଡର ଟଙ୍କା ପରେ ସୁଝାଯିବ। ବିଧାନ ପରିଷଦର ପ୍ରମୁଖ ସଚିବ ଡା.ରାଜେଶ ସିଂ ଏହି ନିର୍ଦ୍ଦେଶ ଜାରି କରିଛନ୍ତି।

ଉତ୍ତରପ୍ରଦେଶରେ ମନ୍ତ୍ରୀ ପରିଷଦର ବୈଠକ ଓ କାର୍ଯ୍ୟପ୍ରଣାଳୀକୁ ଅନଲାଇନରେ କରିବାର ପ୍ରକ୍ରିୟା ସରକାର ଆରମ୍ଭ କରିଦେଇଛନ୍ତି। ଫେବୃଆରୀ ୨ ତାରିଖରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଥିଲେ ଯେ, ବିଧାନ ମଣ୍ଡଳ ଅଧିବେସନ ଆରମ୍ଭ ହେବା ପୂର୍ବରୁ ସବୁ ବିଧାୟକଙ୍କୁ ଟ୍ୟାବେଲଟ ଉପଲବ୍ଧ କରାନ୍ତୁ। ଏଥିସହିତ ଟ୍ୟାବଲେଟର ପ୍ରଭାବୀ ପ୍ରୟୋଗ ଲାଗି ବିଧାୟକଙ୍କ ଲାଗି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଉ।