ଅଖିଳ ଭାରତୀୟ ଯୁବ ସଙ୍ଘ ପକ୍ଷରୁ ଓପିଜିସି ସମ୍ମୁଖରେ ଧାରଣା

ଝାରସୁଗୁଡା,ଏନ୍ଏନ୍ଏସ୍: ସ୍ଥାନୀୟ ନିଯୁକ୍ତି ଦାବିରେ ଆଜି ଅଖିଳ ଭାରତୀୟ ଯୁବ ସଙ୍ଘ ପକ୍ଷରୁ ବନହରପାଲି ଓପିଜିସି ସମ୍ମୁଖରେ ଧାରଣା ଦିଆଯାଇଥିଲା। ସଙ୍ଘ ପକ୍ଷରୁ ଓପିଜିସି କର୍ତ୍ତୃପକ୍ଷଙ୍କ ଜରିଆରେ ଝାରସୁଗୁଡା ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସେମାନଙ୍କ ପକ୍ଷରୁ ଉଲ୍ଲେଖ କରାଯାଇଛି ଯେ, ଝାରସୁଗୁଡା ଏକ ଶିଳ୍ପ ଓ ଖଣି ସମୃଦ୍ଧ ଜିଲ୍ଲା ହୋଇଥିଲେ ମଧ୍ୟ ସ୍ଥାନୀୟ ନିଯୁକ୍ତି ଅଭାବରୁ ଏଠାକାର ଯୁବକ, ଯୁବତୀ ବେରୋଜଗାର ହୋଇ ରହୁଛନ୍ତି । ଏହି ଯୁବକ ଯୁବତୀଙ୍କ ସମସ୍ୟା ସମାଧାନ ପାଇଁ ଜିଲ୍ଲାର ସମସ୍ତ ବ୍ଲକ ଓ ପୌରପରିଷଦ କାର୍ଯ୍ୟାଳୟରେ ୧ ମାସ ମଧ୍ୟରେ ଗୋଟିଏ ଲେଖାଏଁ ଏମ୍ପ୍ଲଏମେଣ୍ଟ ଏକ୍ସଚେଞ୍ଜ ଅଫିସ ଖୋଲି ଜିଲ୍ଲାର ସମସ୍ତ ବେକାର ଯୁବକଯୁବତୀଙ୍କ ରେଜିଷ୍ଟ୍ରେସନ କରାଯାଉ ।

ଏହାପରେ ସମସ୍ତଙ୍କୁ ଅଥବା ଅନୁନ୍ୟ ୮୦ ପ୍ରତିଶତ ବେକାର ଯୁବକ ଯୁବତୀଙ୍କୁ ଚାକିରି ପ୍ରଦାନ କରାଯାଉ ବୋଲି ଅଖିଳ ଭାରତୀୟ ଯୁବ ସଙ୍ଘ ପକ୍ଷରୁ ଦାବି କରାଯାଇଛି । ଏହି ଦାବି ପୂରଣ ହେବା ଯାଏ ଜିଲ୍ଲାର ବିଭିନ୍ନ କମ୍ପାନୀ କାର୍ଯ୍ୟାଳୟ ସମ୍ମୁଖରେ ସପ୍ତାହରେ ଥରେ ୧୦ଟାରୁ ୧୨ଟା ଯାଏଁ ଅଖିଳ ବାରତୀୟ ଯୁବ ସଙ୍ଘ ପକ୍ଷରୁ ଧାରଣା ଦିଆଯିବ ବୋଲି ସଙ୍ଘ ପକ୍ଷରୁ ଚେତାବନୀ ଦିଆଯାଇଛି । ଏହି ଅବସରରେ ରମେଶ ତ୍ରିପାଠୀ, ସଙ୍ଘର ସଭାପତି ରମାକାନ୍ତ ସା, ମାନସ ପ୍ରଧାନ, ମିନି ଦାସ, ଗୋବର୍ଦ୍ଧନ ବାନି, ନିରାକାର ଭୋଇ, ସୁଦର୍ଶନ ରାଉତ, ତ୍ରିଲୋଚନ ଭୋଇ ପ୍ରମୁଖଙ୍କ ଯୁବ ସଙ୍ଘର ସଦସ୍ୟମାନେ ଉପସ୍ଥିତ ଥିଲେ । ବନହରପାଳି ଥାନା ଅଧିକାରୀ ପ୍ରଶାନ୍ତ ମେହେରଙ୍କ ଉପସ୍ଥିତିରେ ଓପିଜିସି କର୍ତ୍ତୃପକ୍ଷ ଅଖିଳ ଭାରତୀୟ ଯୁବ ସଂଘର ଦାବିପତ୍ର ଗ୍ରହଣ କରିବାପରେ ଧାରଣା ପ୍ରତ୍ୟାହାର ହୋଇଥିଲା।