ଜି.ମେଲ, ୟୁଟ୍ୟୁବ ସମେତ ବିଭିନ୍ନ ଆପ ଡାଉନ

ନୂଆଦିଲ୍ଲୀ, ଏଜେନ୍ସି: ବିଶ୍ୱବ୍ୟାପୀ ଗୁଗୁଲର ସେବା ସୋମବାର ସଂଧ୍ୟାରେ ପ୍ରାୟ ୪୦ ମିନିଟ୍ ଠପ୍ ହୋଇଯାଇଥିଲା। ସଂଧ୍ୟା ୫:୨୬ ରୁ ୬:୦୬ ମିନିଟ୍ ପର୍ଯ୍ୟନ୍ତ ହଠାତ୍ ଜି-ମେଲ୍ ଓ ୟୁ-ଟ୍ୟୁବ୍ ସମେତ ଗୁଗୁଲର ସମସ୍ତ ଆପ୍ ପ୍ରାୟ ୪୦ ମିନିଟ୍ ଧରି ବନ୍ଦ ହୋଇଯାଇଥିଲା। ଏ ସମ୍ପର୍କରେ ଲୋକେ ଟ୍ୱିଟରରେ ‘ଗୁଗୁଲ୍ ଡାଉନ୍’ ଲେଖି ଟ୍ୱିଟ୍ କରିଥିଲେ। କିନ୍ତୁ ଅଳ୍ପ ସମୟ ପରେ ଏହି ସମସ୍ୟା ଦୂର ହୋଇଯାଇଥିଲା। ତେବେ ଗୁଗୁଲ୍ କିଛି ସମୟ ପାଇଁ ଡାଉନ୍ ହୋଇଯିବାରୁ ଲୋକେ ବିବ୍ରତ ହୋଇପଡିଥିଲେ। ଭାରତରେ କେବଳ ଜି-ମେଲ୍ ଏବଂ ୟୁ-ଟ୍ୟୁବ୍ ନୁହେଁ ଗୁଗୁଲ୍ ଡ୍ରାଇଭ୍, ହ୍ୟାଙ୍ଗଆଉଟ୍, ଗୁଗୁଲ୍ ମିଟ୍ ଭଳି କେତେକ ଜରୁରୀ ଆପ୍ର ସେବା ବାଧାପ୍ରାପ୍ତ ହୋଇଥିଲା। ଏଭଳି ସ୍ଥିତିରେ ୟୁ-ଟ୍ୟୁବ୍ ଟିମ୍ ପକ୍ଷରୁ ଏକ ଅଧିକାରୀକ ସ୍ତରରେ ବିବୃତ୍ତି ଜାରି କରାଯାଇଥିଲା। ୟୁ-ଟ୍ୟୁବ୍ ଟିମ୍ ନାମରେ ଟ୍ୱିଟର ହ୍ୟାଣ୍ଡଲରେ ଟ୍ୱିଟ୍ କରାଯାଇଥିଲା, ‘ଆମେ ଜାଣିବାକୁ ପାଉଛୁ ଯେ ଆପଣମାନେ କେହି ୟୁ-ଟ୍ୟୁବ୍ ଆକ୍ସେସ୍ କରିପାରୁନାହାନ୍ତି। ଆମର ଟିମ୍ ଏ ସମ୍ପର୍କରେ ସଚେତନ ରହିଛି ଏବଂ ଏହାକୁ ସୁଧାରିବା ପାଇଁ ଜରୁରୀ ପଦକ୍ଷେପ ନେଉଛି।’