ଶ୍ରୀମନ୍ଦିର ଢାଞ୍ଚାରେ ଶ୍ରୀଲିଙ୍ଗରାଜ ମନ୍ଦିର ଆଇନ

ଲାଗିଲା କ୍ୟାବିନେଟ ମୋହର

ଭୁବନେଶ୍ୱର,ଏନ୍ଏନ୍ଏସ୍: କଥା ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏକାମ୍ରକ୍ଷେତ୍ର ବିକାଶ ପ୍ରକଳ୍ପ ବୁଲି ଯିବାବେଳେ ମୁଖ୍ୟମନ୍ତ୍ରୀ ସେବାୟତଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ପାଳନ କରିଛନ୍ତି। ଏଣିକି ଶ୍ରୀମନ୍ଦିର ଢାଞ୍ଚାରେ ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିର ପାଇଁ ସ୍ୱତନ୍ତ୍ର ଆଇନ। ରାଜ୍ୟ କ୍ୟାବିନେଟ ବୈଠକରେ ଶ୍ରୀଲିଙ୍ଗରାଜ ମନ୍ଦିର ଅଧ୍ୟଦେଶକୁ ମଞ୍ଜୁରୀ ମିଳିଛି।
ସୋମବାର ଲୋକସେବା ଭବନରେ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ବୈଠକ ବସିଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ଉକ୍ତ ବୈଠକରେ ଅଧ୍ୟକ୍ଷତା କରିଥିଲେ। ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀ କହିଥିଲେ, ଶ୍ରୀଲିଙ୍ଗରାଜ ମନ୍ଦିର ପାଇଁ ‘ସ୍ୱତନ୍ତ୍ର ଅଧ୍ୟାଦେଶ’ ରାଜ୍ୟ କ୍ୟାବିନେଟର ଅନୁମୋଦନ ଲାଭ କରିଛି। ଏହା ମନ୍ଦିର ପରିଚଳନା ପାଇଁ ଜରୁରୀ ଥିଲା। ଶ୍ରୀଲିଙ୍ଗରାଜ ମନ୍ଦିର ପରିଚାଳନା ଦାୟିତ୍ୱ ଏକ କମିଟି ହାତରେ ନ୍ୟସ୍ତ କରାଯାଇଛି। ମନ୍ଦିରର ସମ୍ପତ୍ତି ସୁରକ୍ଷିତ ରଖିବା ପାଇଁ କମିଟିକୁ ସଶକ୍ତ କରିବ। ମନ୍ଦିରର ପରିସର ମଧ୍ୟରେ ଓ ବାହାରେ ଥିବା ଅନ୍ୟ ମନ୍ଦିର, ପବିତ୍ର ସ୍ଥାନ ଓ ମଠ ଆଦିର ସୁପରିଚାଳନା ଓ ସୁଶାସନକୁ ଦୃଷ୍ଟିରେ ରଖି ଏହା କରାଯାଇଛି।
ମନ୍ତ୍ରୀ ଶ୍ରୀ ପୂଜାରୀ କହିଥିଲେ, ସ୍ୱତନ୍ତ୍ର ଆଇନ ଯୋଗୁଁ ମନ୍ଦିରର କାର୍ଯ୍ୟଗୁଡ଼ିକର ଉତ୍ତମ ଏବଂ ସଠିକ୍ ପରିଚାଳନା ହୋଇ ପାରିବ। ଅଧ୍ୟାଦେଶରେ ଶ୍ରୀଲିଙ୍ଗରାଜ ମନ୍ଦିର ସୁପରିଚାଳନା ନିମନ୍ତେ ବିସ୍ତୃତ ଭାବରେ ବ୍ୟବସ୍ଥା ହୋଇଛି। ପରିଚାଳନା କମିଟି ଗଠନ, କମିଟିର ସଭ୍ୟ ସଂଖ୍ୟା, କମିଟିର ଦାୟିତ୍ୱ ଓ କ୍ଷମତା, ପରିଚାଳକଙ୍କର କ୍ଷମତା ଓ ଦାୟିତ୍ୱ, ମନ୍ଦିରର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ସୁରକ୍ଷା ଏବଂ ପରିଚାଳନା, ସେବକଙ୍କର ଭୂମିକା ଓ ଦାୟିତ୍ୱ, ମନ୍ଦିର ପାଣ୍ଠିର ଗଠନ ଓ ପରିଚାଳନା ଇତ୍ୟାଦି ଉପରେ ଗୁରୁତ୍ୱ ଦିଆଯାଇଛି। ଏଥିସହିତ ଭିତ୍ତିଭୂମି ବକାଶ ଯୋଗୁଁ ତୀର୍ଥଯାତ୍ରୀ, ଶ୍ରଦ୍ଧାଳୁ ଓ ଯାତ୍ରୀଙ୍କୁ ଉନ୍ନତ ସୁବିଧା ଯୋଗାଇବା ସମ୍ଭବ ହେବ।
ଅନ୍ୟପକ୍ଷରେ ଶ୍ରୀଲିଙ୍ଗରାଜ ମନ୍ଦିରର ସର୍ବାଙ୍ଗୀନ ଉନ୍ନତି ପାଇଁ ସରକାର ଅନେକଗୁଡ଼ିଏ କାର୍ଯ୍ୟ କରିବାକୁ ଖସଡ଼ା ପ୍ରସ୍ତୁତ କରିଛନ୍ତି। ଅଗ୍ରାଧିକାର ଭିତ୍ତିରେ ସେସବୁ କରାଯିବ। ତେବେ ବର୍ତ୍ତମାନ ବିଧାନସଭା ମୁଲତବୀ ଥିବାରୁ ଅଧ୍ୟାଦେଶ ଜରିଆରେ ନୂତନ ଆଇନର ବ୍ୟବସ୍ଥା କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ପ୍ରକାଶ କରିଥିଲେ।