ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ: ବିଜେଡିର ପ୍ରଚାର ମଙ୍ଗ ଧରିଲେ ଆକାଶ ଦାଶ ନାୟକ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଆସନ୍ତା ୧୮ ତାରିଖରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଜିଲ୍ଲାର ସମସ୍ତ ରାଜନୈତିକ ଦଳ ଜୋରଦାର ପ୍ରଚାର ଅଭିଯାନ ଚଲାଇଛନ୍ତି । ଏହି କ୍ରମରେ ଦେବଗଡ଼ ଜିଲ୍ଲା ପରିଷଦ ଅନ୍ତର୍ଗତ ବାରକୋଟ ବ୍ଲକର ୩ଟି ଜୋନର ପ୍ରାର୍ଥୀ ଓ ପ୍ରାର୍ଥିନୀଙ୍କ ପ୍ରଚାର ପାଇଁ ଷ୍ଟାର ପ୍ରଚାରକ ଭାବେ ସିନେ ତାରକା ତଥା ଯୁବନେତା ଆକାଶ ଦାଶ ନାୟକ ପ୍ରଚାର ମଙ୍ଗ ଧରିଛନ୍ତି । ଆକାଶ ଗାଁ ଗାଁରେ ବୁଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଛ ସରକାର ଓ ବିଭିନ୍ନ ଜନ କଲ୍ୟାଣ ଯୋଜନା ସମ୍ପର୍କରେ ଲୋକଙ୍କୁ ବୁଝାଇବା ସହ ରାସ୍ତାର ଉଭୟ ପାର୍ଶ୍ୱରେ ଛିଡ଼ା ହୋଇଥିବା ବିଭିନ୍ନ ବର୍ଗ ର ଜନ ସାଧାରଣଙ୍କୁ ହାତ ଯୋଡ଼ି ଭୋଟ ଭିକ୍ଷା କରିଥିଲେ । ପ୍ରଥମେ ବାରକୋଟ ବ୍ଲକ ଜିଲ୍ଲା ପରିଷଦ ଜୋନ ୧ର ପ୍ରାର୍ଥିନୀ ବର୍ଷାରାଣୀ ମୁଣ୍ଡାଙ୍କ ପାଇଁ ପ୍ରଚାର କରିଥିଲେ । ପରେ ଜୋନ ୨ ପ୍ରାର୍ଥୀ ସମରେନ୍ଦ୍ର ଜିତ ଓ ଜୋନ ୩ ପ୍ରାର୍ଥିନୀ ଗୀତାଞ୍ଜଳି ପାଣିଙ୍କ ପାଇଁ ପ୍ରଚାର କରିଥିବା ଜଣାପଡ଼ିଛି । ଆକାଶଙ୍କ ପ୍ରଚାର ସମୟରେ ଯୁବବର୍ଗ ଶ୍ରୀ ନାୟକଙ୍କ ସହ ହାତ ମିଳାଇବା ଓ ସେଲ୍ଫି ନେବା ପାଇଁ ପ୍ରତିଯୋଗିତା କରୁଥିବା ଦେଖିବାକୁ ମିଳିଥିଲା । ଜିଲ୍ଲାରେ ବିଜେଡି ପ୍ରତି ଜନସାଧାରଣଙ୍କ ଭଲ ପାଇବା ଓ ସମର୍ଥନକୁ ଦେଖି ନିର୍ବାଚନ ଫଳାଫଳ ସମ୍ପୂର୍ଣ ରୂପେ ବିଜେଡି ସପକ୍ଷରେ ଯିବ ବୋଲି ଆକାଶ ପ୍ରକାଶ କରିଛନ୍ତି ।