ଆସନ୍ତା ସପ୍ତାହରେ ଭାରତ ଆସୁଛନ୍ତି ଋଷ ରାଷ୍ଟ୍ରପତି, ହୋଇପାରେ ଏକେ-୨୦୩ ରାଇଫଲ ଚୁକ୍ତି

ନୂଆଦିଲ୍ଲୀ,ଏଜେନ୍ସି: ଭାରତ ଏବଂ ଋଷର ସାମରିକ ସମ୍ପର୍କକୁ ବୃଦ୍ଧି କରିବାରେ ଦୁଇ ଦେଶ ସୋମବାର ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ଗସ୍ତ ସମୟରେ ୭.୫ ଲକ୍ଷ ଏକେ-୨୦୩ ରାଇଫଲ ଯୋଗାଣ ଉପରେ ଚୁକ୍ତି କରିବାକୁ ଯୋଜନା କରିଛନ୍ତି। ସୁରକ୍ଷା କ୍ୟାବିନେଟ କମିଟିର ଅନ୍ତିମ ଅନୁମୋଦନ ସହିତ ସମସ୍ତ ଆବଶ୍ୟକୀୟ ମଞ୍ଜୁରି ପ୍ରକ୍ରିୟା ସରିଛି। ଋଷର ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ଏହି ଚୁକ୍ତି ସ୍ବାକ୍ଷର ହୋଇପାରେ ବୋଲି ଗଣମାଧ୍ୟମ ସୂତ୍ରରୁ ସୂଚନା ମିଳିଛି।

ଡିସେମ୍ବର ୬ରେ ପୁତିନ ଭାରତ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ପୁତିନ ଏବଂ ମୋଦିଙ୍କ କଥାବାର୍ତ୍ତାରେ ଏସ୍-୪୦୦ ବାୟୁ ପ୍ରତିରକ୍ଷା ପ୍ରଣାଳୀର ଉପସ୍ଥାପନା ମଧ୍ୟ ଦେଖିବାକୁ ମିଳିପାରେ। ଅତ୍ୟାଧୁନିକ ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ପୂର୍ବଚୁକ୍ତି ଅନୁସାରେ ଋଷ ଭାରତକୁ ଯୋଗାଣ ଆରମ୍ଭ କରି ସାରିଛି। ଏହି ଚୁକ୍ତିର କିଛି ଅଂଶ ଭାରତରେ ମଧ୍ୟ ପହଞ୍ଚି ସାରିଲାଣି। ସେହିପରି ଋଷର ନିର୍ମିତ ଏକେ-୨୦୩ ଜ୍ଞାନକୌଶଳ ଭାରତକୁ ହସ୍ତାନ୍ତର ହେବା ସହ ଏହାର ନିର୍ମାଣ ଉତ୍ତର ପ୍ରଦେଶର ଆମେଥୀରେ ଆରମ୍ଭ ହେବା ନେଇ ମଧ୍ୟ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

କିଛି ବର୍ଷ ପୂର୍ବେ ଉଭୟ ପକ୍ଷ ମଧ୍ୟରେ ଏହି ଚୁକ୍ତି ହୋଇଥିଲା ଏବଂ ବର୍ତ୍ତମାନ ଅନ୍ତିମ ପର୍ଯ୍ୟାୟ ତଥା ଜ୍ଞାନକୌଶଳ ହସ୍ତାନ୍ତର ପ୍ରକ୍ରିୟା ବାକି ରହିଛି। ଭାରତରେ ନିର୍ମାଣ ହେବାକୁ ଥିବା ଏହି ଅତ୍ୟାଧୁନିକ ରାଇଫଲର ଉତ୍ପାଦନ ଆରମ୍ଭ ହେବାର ୩୨ ମାସ ପରେ ଏଗୁଡିକ ଭାରତୀୟ ସେନାକୁ ହସ୍ତାନ୍ତର କରାଯିବ ବୋଲି ସୂଚନା ରହିଛି।