ମୁମ୍ବାଇ: ଭାରତ ବିରୋଧରେ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ନ୍ୟୁଜିଲାଣ୍ଡ ସ୍ପିନର ଏଜାଜ ପଟେଲ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଚେତା ଉଡ଼ାଇଛନ୍ତି। ସେ ପ୍ରଥମ ପାଳିରେ ଭାରତର ସମସ୍ତ ୧୦ଟି ୱିକେଟ ନେଇ ଇତିହାସ ରଚିଛନ୍ତି। ଏଜାଜ ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନରେ ୪ଟି ୱିକେଟ ଓ ଦ୍ୱିତୀୟ ଦିନର ପ୍ରାରମ୍ଭରେ ୨ଟି ୱିକେଟ ହାସଲ କରିଥିଲେ। ଏହାପରେ ଟିମ୍ ଇଣ୍ଡିଆର ଗୋଟିଏ ପରେ ଗୋଟିଏ ୱିକେଟ ନେବାରେ ସଫଳ ହୋଇଥିଲେ। ଏଜାଜଙ୍କ ଦମଦାର ବୋଲିଂ ଯୋଗୁ ଭାରତ ପ୍ରଥମ ପାଳିରେ ମାତ୍ର ୩୨୫ ରନ କରି ପାରିଛି।
ସୂଚନାଯୋଗ୍ୟ, ଏଜାଜ ପଟେଲ ଗୋଟିଏ ପାଳିରେ ସମସ୍ତ ୱିକେଟ ନେଇଥିବା ତୃତୀୟ ବୋଲର ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଏଜାଜଙ୍କ ପୂର୍ବରୁ ୧୯୫୬ରେ ଜିମ ଲେକର ଓ ୧୯୯୯ରେ ଅନିଲ କୁମ୍ବଲେ ସମସ୍ତ ୧୦ଟି ୱିକେଟ ନେଇଥିଲେ। ଏଜାଜଙ୍କ ଜନ୍ମ ମୁମ୍ବାଇରେ ହୋଇଥିବାବେଳେ ସେ ଏହି ବିଶ୍ୱ ରେକର୍ଡ ମଧ୍ୟ ଭାରତ ମାଟିରେ ସୃଷ୍ଟି କରିଛନ୍ତି।