ଭୋଲା ଫିଲ୍ମର ଦ୍ବିତୀୟ ଟିଜର ରିଲିଜ, ଫ୍ୟାନ୍ସକୁ ପାଗଳ କଲା ଅଜୟଙ୍କ ଲୁକ୍‌

ମୁମ୍ବାଇ,ଏଜେନ୍ସି: ଖୁବ୍‌ଶୀଘ୍ର ବଡ଼ ପରଦାକୁ ଆସିବାକୁ ଯାଉଛି ଅଜୟ ଦେବଗନଙ୍କ ଫିଲ୍ମ ଭୋଲା। ଏହାକୁ ନେଇ ଦର୍ଶକ ବେସ ଉତ୍ସାହିତ ଥିବା ବେଳେ ଫିଲ୍ମର ଦ୍ବିତୀୟ ଟିଜର ଏବେ ସାମ୍ନାକୁ ଆସିଛି। ସୋସିଆଲ ମିଡିଆରେ ଟିଜରଟିକୁ ସେୟାର କରିଛନ୍ତି ଅଜୟ ଦେବଗନ। ଯେଉଁଥିରେ ଅଜୟ ଦେବଗନଙ୍କ ନୂଆ ଅବତାର ଦେଖିବାକୁ ମିଳିଛି।

ଟିଜରରେ ଅଜୟ ଦେବଗନଙ୍କ ଲୁକ ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି । ଟିଜର ଦେଖି ଫିଲ୍ମଟି ମଧ୍ୟ ବେଶ ଦମଦାର ହୋଇଥିବ ବୋଲି ଅନୁମାନ କରାଯାଉଛି। ଫିଲ୍ମର ପ୍ରଥମ ଟିଜର ନଭେମ୍ବର ୨୦୨୨ରେ ରିଲିଜ ହୋଇଥିଲା। ଅଜୟ ନିଜେ ଏହି ଟିଜରକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଥିଲେ। ଏହି ଚଳଚ୍ଚିତ୍ରରେ ଅଭିନୟ କରିବା ବ୍ୟତୀତ ଅଜୟ ଦେବଗନ ନିଜେ ନିର୍ଦ୍ଦେଶନା ଦେଇଛନ୍ତି। ଚଳଚ୍ଚିତ୍ରରେ ମୁଖ୍ୟ ଅଭିନେତ୍ରୀ ଭାବରେ ତବୁଙ୍କୁ ପୁଣି ଥରେ ଦେଖିବାକୁ ମିଳିବ। ଅଜୟ ଦେବଗନ୍ ଏବଂ ତବୁଙ୍କର ଏହା ହେଉଛି ୯ତମ ଚଳଚ୍ଚିତ୍ର, ଯେଉଁଥିରେ ଉଭୟ ଏକାଠି ନଜର ଆସିବେ।

ଭୋଲା ୨୦୧୯ରେ ମୁକ୍ତିଲାଭ କରିଥିବା ତାମିଲ ସୁପରହିଟ୍ ଫିଲ୍ମ ‘କୈଥୀ’ର ହିନ୍ଦୀ ରିମେକ୍ । ଯାହାର ନିର୍ଦ୍ଦେଶନା ଦେଇଛନ୍ତି ଅଜୟ ଦେବଗନ। ଏହି ଚଳଚ୍ଚିତ୍ରର କାହାଣୀ ଜଣେ ଦୋଷୀ ବ୍ୟକ୍ତିଙ୍କ ବିଷୟରେ, ଯିଏ ଜେଲରୁ ମୁକୁଳିବା ପରେ ପ୍ରଥମ ଥର ପାଇଁ ତାଙ୍କ ଝିଅକୁ ଭେଟିବାକୁ ଚାହାଁନ୍ତି, କିନ୍ତୁ ତାଙ୍କର ସାମ୍ନା ପୋଲିସ ଏବଂ ଡ୍ରଗ୍ ମାଫିଆ ସହିତ ହୁଏ। ତବୁଙ୍କୁ ଏହି ଚଳଚ୍ଚିତ୍ରରେ ଜଣେ ବରିଷ୍ଠ ପୋଲିସ ଅଧିକାରୀ ଭୂମିକାରେ ଦେଖିବାକୁ ମିଳିବ । ତେବେ ଫିଲ୍ମ ‘କୈଥୀ’ ବକ୍ସ ଅଫିସରେ କମାଲ କରିଥିଲା। ଯାହାର ନିର୍ଦ୍ଦେଶନା ଦେଇଥିଲେ ଲୋକେଶ କାନାରାଜନ । ଯାହା ବକ୍ସ ଅଫିସରେ ଧମାଲ ମଚାଇଥିଲା।

ଏବେ ଏହି ଫିଲ୍ମର ହିନ୍ଦି ରିମେକ ଦର୍ଶକଙ୍କୁ କେତେ ପସନ୍ଦ ଆସୁଛି ତାହା ଦେଖିବାକୁ ଅପେକ୍ଷା। ଦର୍ଶକ ମଧ୍ୟ ଫିଲ୍ମଟିକୁ ଦେଖିବାକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ମାର୍ଚ୍ଚ ୩୦ରେ ଏହା ପ୍ରେକ୍ଷାଳୟରେ ରିଲିଜ ହେବା ନେଇ ସୂଚନା ମିଳିଛି। ଅଜୟ ଦେବଗନଙ୍କ ନିର୍ଦ୍ଦେଶନାରେ ଏହା ହେଉଛି ଚତୁର୍ଥ ଫିଲ୍ମ। ତେବେ ଆଗକୁ ଅଜୟ ଦେବଗନଙ୍କ ଆଉ ଏକ ଫିଲ୍ମ ମଧ୍ୟ ଆସିବାକୁ ଯାଉଛି। ନିର୍ମାତା ବୋନି କପୁରଙ୍କ ଆଗାମୀ କ୍ରୀଡା ଡ୍ରାମା ଫିଲ୍ମ ମଇଦାନରେ ଦେଖିବାକୁ ମିଳିବ ଅଜୟଙ୍କୁ।