ଏୟାର ଇଣ୍ଡିଆ ବିମାନରେ ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ନୂଆଦିଲ୍ଲୀ,ଏଜେନ୍ସି: ଓମାନ ରାଜଧାନୀ ମସ୍କଟରୁ କେରଳର କୋଚି ଅଭିମୁଖେ ଉଡାଣ ଭରିବାକୁ ଥିବା ଏୟାର ଇଣ୍ଡିଆ-ଏକ୍ସପ୍ରେସ ବିମାନର ଇଞ୍ଜିନରେ ନିଆଁ ଦେଖିବାକୁ ମିଳିଛି । ଟେକ-ଅଫର କିଛି ସମୟ ପୂର୍ବରୁ ଏହି ଅଘଟଣ ସାମ୍ନାକୁ ଆସିବା ପରେ ଉଡାଣ ବାତିଲ କରାଯିବା ସହ ସମସ୍ତ ଯାତ୍ରୀଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ବିମାନରୁ ବାହାରକୁ ଅଣାଯାଇଛି । ସମସ୍ତେ ସୁରକ୍ଷିତ ଅଛନ୍ତି ଓ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି ।

ସୂଚନା ଅନୁସାରେ ଏୟାର ଇଣ୍ଡିଆ ଏକ୍ସପ୍ରେସର ଏହି ବିମାନଟି ୧୪୫ ଯାତ୍ରୀଙ୍କୁ ଧରି କୋଚି ଅଭମୁଖେ ଉଡାଣ ପାଇଁ ପ୍ରସ୍ତୁତ ହେଉଥିଲା । ତେବେ ଟେକ-ଅଫ ପାଇଁ ରନଓ୍ବେକୁ ଯାଇ ସାରିଥିବା ଏହି ବିମାନର ଗୋଟିଏ ଇଞ୍ଜିନରୁ ନିଆଁ ବାହାରୁଥିବା ଦେଖିବାକୁ ମିଳିଥିଲା । ତେବେ ବିମାନଟିକୁ ଏକ ସୁରକ୍ଷିତ ସ୍ଥାନକୁ ନେଇ ସମସ୍ତ ଯାତ୍ରୀଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ବାହାର କରାଯିବାରେ ସଫଳତା ମିଳିଛି । ସମସ୍ତ ଯାତ୍ରୀଙ୍କୁ ଟର୍ମିନାଲ ବିଲ୍ଡିଂରେ ରଖାଯାଇଛି । ଯାତ୍ରୀ ଓ ଅନ୍ୟ ସମସ୍ତ ବିମାନ କ୍ର୍ୟୁ ସଦସ୍ୟ ନିରାପଦ ରହିଛନ୍ତି । ଅନ୍ୟ ଏକ ବିମାନ ଜରିଆରେ ସେମାନଙ୍କୁ କୋଚି ଅଣାଯିବା ପାଇଁ ପ୍ରୟାସ କରାଯାଉଥିବା ଡିଜିସିଏ ପକ୍ଷରୁ ସୂଚନା ମିଳିଛି ।

ତେବେ କେଉଁ କାରଣରୁ ବିମାନର ଇଞ୍ଜିନରେ ନିଆଁ ଦେଖିବାକୁ ମିଳିଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ଘଟଣାର ତଦନ୍ତ ନିର୍ଦ୍ଦେଶ ମିଳିସାରିଥିବା ମଧ୍ୟ ଉଡାଣ ନିର୍ଦ୍ଦେଶାଳୟ ସୂଚନା ଦେଇଛି । ତଦନ୍ତ ରିପୋର୍ଟ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବା ନେଇ ଡିଜିସିଏ କହିଛି । ବର୍ତ୍ତମାନ ଏକ ଉଚ୍ଚସ୍ତରୀୟ ବୈଷୟିକ ଟିମ ଏହି ବିମାନର ତଦାରଖ ଆରମ୍ଭ କରିଛନ୍ତି । ଆଜି ଉଡାଣ ଭରିବା ପୂର୍ବରୁ ଏପରି ଅଘଟଣ ସାମ୍ନାକୁ ଆସିବା ଓ ସଫଳତାର ସହ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯିବା ପରେ ଏକ ଆସନ୍ନ ଅଘଟଣକୁ ଏଡାଯାଇ ପାରିଛି ।

କିଛି ଦିନ ପୂର୍ବରୁ ରାଷ୍ଟ୍ରାୟତ ମାଲିକାନାରେ ଥିବା ଏହି ବିମାନ କମ୍ପାନୀ ନିଲାମ ହେବା ପରେ ଟାଟା ଦ୍ବାରା ପରିଚାଳିତ ହେଉଛି । ନିକଟରେ ମଧ୍ୟ ଅନେକ ଭାରତୀୟ ବିମାନ କମ୍ପାନୀର ବିମାନରେ ଏପରି ତ୍ରୁଟି ସାମ୍ନାକୁ ଆସିଛି । ସ୍ପାଇସଜେଟ, ଇଣ୍ଡିଗୋ ଏୟାରଲାଇନ୍ସର ଏକାଧିକ ବିମାନରେ ଯାନ୍ତ୍ରିକ ତ୍ରୁଟି ସାମ୍ନାକୁ ଆସିବା ପରେ ବିମାନ ଯାତ୍ରୀଙ୍କ ମଧ୍ୟରେ ଭୟ ମଧ୍ୟ ଦେଖିବାକୁ ମିଳିଲାଣି ।