ଉଡ଼ାଣ ଭରିବା ସମୟରେ ବିମାନରୁ ଖସିପଡ଼ିଲା ଚକ

ମୁମ୍ବାଇ,ଏଜେନ୍ସି: ଅନେକ ଥର ରୋଗୀଙ୍କୁ ଶୀଘ୍ର ହସ୍ପିଟାଲ ପହଞ୍ଚାଇବାକୁ ବିମାନ ସେବାର ସାହାଯ୍ୟ ନିଆଯାଏ। ଏହି ମଧ୍ୟରେ ଗତକାଲି ବିଳମ୍ବିତ ରାତ୍ରିରେ ନାଗପୁରରୁ ହାଇଦ୍ରାବାଦ ଉଡାଣ ଭରିଥିବା ମେଡିକାଲ ବିମାନରେ ତ୍ରୁଟି ଯୋଗୁଁ ଏହାକୁ ମୁମ୍ବାଇ ଏୟାରପୋର୍ଟରେ ସୁରକ୍ଷିତ ଲ୍ୟାଣ୍ଡିଂ କରାଯାଇଛି। ବିମାନରେ ତ୍ରୁଟି ଦେଖାଯିବା ପରେ ଏହାକୁ ଡାଇଭର୍ଟ କରାଯାଇଥିଲା। ଏହି ସମୟରେ ପାଇଲଟ ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ବିମାନକୁ ସୁରକ୍ଷିତ ଭାବେ ଲ୍ୟାଣ୍ଡି କରାଇଥିଲେ।

ବିମାନରେ ଜଣେ ରୋଗୀ, ଦୁଇ ଜଣ ପାରାମେଡିକାଲ୍‌ ଷ୍ଟାଫ୍‌ ଏବଂ ଦୁଇ କ୍ରୁ ମେମ୍ବର ଥିଲେ। ବିମାନରୁ ଚକ ବାହାରିଯାଇଥିବା ବେଳେ ବିମାନ ବିନା ଚକରେ ଲ୍ୟାଣ୍ଡିଂ କରିବ ବୋଲି ଆଶଙ୍କା ଥିଲା। ଜେଟ୍‌ସର୍ଭ ଆଭିଏସନ୍‌ର ସି-୯୦ ବିମାନ ଭିଟି-ଜେଆଇଏଲ ଏୟାର ଆମ୍ବୁଲାନ୍ସର ଗୋଟିଏ ଚକ ନାଗପୁରରୁ ଉଡ଼ାଣ ଭରିବା ପରେ ତଳେ ଖସିପଡ଼ିଥିଲା। ଏହା ପରେ ମୁମ୍ବାଇ ଏୟାରପୋର୍ଟରେ ଲ୍ୟାଣ୍ଡିଂ ପାଇଁ ଆଲର୍ଟ କରାଯାଇଥିଲା। ବିମାନ ବିନା ଚକରେ ଲ୍ୟାଣ୍ଡିଂ କରିବା ଅସମ୍ଭବ ମନେକରି ରନଓ୍ବେରେ ଫୋମ୍‌ ବିଛାଇ ଦିଆଯାଇଥିଲା। କିନ୍ତୁ ପାଇଲଟଙ୍କ ଯୋଗୁଁ ବଡ଼ ଦୁର୍ଘଟଣାଟି ଅଳ୍ପକେ ଟଳିଯାଇଛି।