ନୂଆଦିଲ୍ଲୀ,ଏଜେନ୍ସି: କରୋନା ମହାମାରୀର ଦ୍ୱିତୀୟ ଲହରିରେ ବର୍ତ୍ତମାନ ସୁଦ୍ଧା ଦେଶରୁ ଦୈନିକ ୨ ଲକ୍ଷରୁ ଊର୍ଦ୍ଧ୍ୱ ମାମଲା ଚିହ୍ନଟ ହେଉଛି। ଏନେଇ ସରକାର ଓ ଡାକ୍ତରଙ୍କ ତରଫରୁ ଲୋକମାନଙ୍କୁ ବାରମ୍ବାର ସଚେତନ ମଧ୍ୟ କରାଯାଉଛି। ଏହି ମଧ୍ୟରେ ଏମ୍ସର ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ଛୋଟ ପିଲାଙ୍କୁ କରୋନା ସଂକ୍ରମଣ ମାମଲାରେ ଏକ ବଡ଼ ବୟାନ ଜାରି କରିଛନ୍ତି। ରଣଦୀପ କହିଛନ୍ତି କି, ଛୋଟ ପିଲାମାନେ ବର୍ତ୍ତମାନ ସୁଦ୍ଧା କରୋନାର ଲହରିରେ ସବୁଠାରୁ କମ୍ ପ୍ରଭାବିତ ହୋଇଛନ୍ତି। ଯଦି ତୃତୀୟ ଲହରି ଆସୁଛି ତେବେ ଛୋଟ ପିଲାମାନେ ପ୍ରଭାବିତ ହେବେ ନାହିଁ।
ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି କି କରୋନାର ପ୍ରଥମ ଓ ଦ୍ୱିତୀୟ ଲହରିରେ ଛୋଟ ପିଲାମାନେ କରୋନା ସଂକ୍ରମିତ ହେବା ଆମେ ବହୁତ କମ୍ ଦେଖିଛୁ। ଏଥିପାଇଁ ଆଗକୁ ମଧ୍ୟ ତୃତୀୟ ଲହରିରେ ଛୋଟ ପିଲାଙ୍କୁ କୋଭିଡ ଭୂତାଣୁ ସଂକ୍ରମଣ ହେବ ବୋଲି ଆମେ ଆଶା କରୁନୁ। ପୂର୍ବରୁ କରୋନାର ତୃତୀୟ ଲହରି ଛୋଟ ପିଲାଙ୍କୁ ବେଶି ପ୍ରଭାବିତ କରିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ ପ୍ରକାଶ କରିଥିଲେ।