ନବମ ଓ ଦଶମ ଶ୍ରେଣୀର ସେମିଷ୍ଟାର ଢାଞ୍ଚାରେ ପରୀକ୍ଷା ପଦ୍ଧତିକୁ ଏଆଇଡିଏସଓର ବିରୋଧ

ବଲାଙ୍ଗିର,ଏନ୍ଏନ୍ଏସ୍: ଆଜି ଏଆଇଡିଏସଓ ପକ୍ଷରୁ ବଲାଙ୍ଗିର ଜିଲ୍ଲା କମିଟି ତରଫରୁ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ପ୍ଲାଟିନମ ଜୁବଲି ଗେଟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ନବମ ଓ ଦଶମ ଶ୍ରେଣୀର ସେମିଷ୍ଟାର ଢାଞ୍ଚାର ପରୀକ୍ଷା ପଦ୍ଧତି ବାତିଲ କରିବା, ନୂତନ ଜାତୀୟ ଶିକ୍ଷାନୀତି ୨୦୨୦କୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବା ଏବଂ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟରେ ଖାଲି ପଡିଥିବା ସମସ୍ତ ଅଧ୍ୟାପକ ଓ କର୍ମଚାରୀ ପଦବୀ ତୁରନ୍ତ ପୂରଣ କରିବା ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିସହିତ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯିବା ସହ ନୂତନ ଜାତୀୟ ଶିକ୍ଷାନୀତି ୨୦୨୦ର ଏକ ନକଲ ପୋଡାଯାଇଥିଲା।

ନବମ ଓ ଦଶମ ଶ୍ରେଣୀରେ ସେମିଷ୍ଟାର ବ୍ୟବସ୍ଥା ଲାଗୁ ହେଲେ ଛାତ୍ରୀଛାତ୍ରୀଙ୍କର ପୂର୍ଣ୍ଣାଙ୍ଗ ଜ୍ଞାନ ଆହରଣ କରିବାରେ ବାଧାପ୍ରାପ୍ତ ହେବ। ଫଳରେ ଚିନ୍ତା କରିବାର କ୍ଷମତାରେ ମଧ୍ୟ ବିକାଶ ସଠିକ୍ ଭାବରେ ହୋଇପାରିବ ନାହିଁ। ତେଣୁ ଏହି ଧରଣର ପରୀକ୍ଷା ପଦ୍ଧତି ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାହାର କରାଯିବା ସହ ଶିକ୍ଷାବିତ୍ ଓ ଶିକ୍ଷା ସହ ସଂପୃକ୍ତ ବିଭିନ୍ନ ସଂଗଠନ ତଥା ଶିକ୍ଷା ପ୍ରେମୀ ଜନସାଧାରଣଙ୍କ ମତାମତ ନେଇ ଗଣତାନ୍ତ୍ରିକ ପ୍ରକ୍ରିୟାରେ ନିଷ୍ପତ୍ତି ନିଆଯାଉ ବୋଲି ଦୃଢ ଦାବି କରାଯାଇଛି। ଆଜିର ଏହି ବିକ୍ଷୋଭରେ ଜିଲ୍ଲା ସଭାପତି ରାଜେନ୍ଦ୍ର ରଣା, ଜିଲ୍ଲା ସମ୍ପାଦକ ମଧୂସୁଦନ ବାଗ, ରାଜ୍ୟ ସମ୍ପାଦକ ମଣ୍ଡଳି ସଦସ୍ୟ ସୁନୀଲ ଭୋଇ, ବିକାଶ ଜେନା, ତାମସ ବେହେରା, ଗୋ÷ରି ରାଉତ, ଅହଲ୍ୟା ସାହୁ, ସିତୟା ଭୋଇ, ବିଷମ ବାଗଙ୍କ ସହ ବହୁ ସଦସ୍ୟ ସାମିଲ ହୋଇଥିଲେ।