ପୁଣି ସୀମାରେ ଗୁଳିବିନିମୟ: ୨ ପୁଲିସ ଓ ଜଣେ ସୁରକ୍ଷାକର୍ମୀ ଆହତ

ଶ୍ରୀନଗର,ଏଜେନ୍ସି: ପୁଣି ସୀମାରେ ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଏଥିରେ ୨ ଜଣ ପୁଲିସ ଓ ଜଣେ ଆର୍ମି ଯବାନ ଆହତ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ ଆଜି ସକାଳେ ଜମ୍ମୁ କଶ୍ମୀରର ପୁଞ୍ଜର ଭଟା ଦୁରିଆନ ଅଞ୍ଚଳରେ ଆତଙ୍କବାଦୀ ଗୁଳିଚାଳନା କରିଥିଲେ। ଜମ୍ମୁ କଶ୍ମୀରର ଜଣେ ପୁଲିସ କର୍ମଚାରୀଙ୍କ ସୂଚନା ଅନୁସାରେ ସର୍ଚ୍ଚ ଅପରେସନ ଚାଲିଥିବା ସମୟରେ ପ୍ରଥମେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀ ଏବଂ ପୁଲିସଙ୍କ ଉପରକୁ ଗୁଳିଚାଳନା କରିଥିଲେ।

ଏଥିରେ ୨ ପୁଲିସ କର୍ମଚାରୀଙ୍କ ସମେତ ଜଣେ ଯବାନ ଆହତ ହୋଇ ଥିବାବେଳେ କୁଖ୍ୟାତ ଆତଙ୍କୀ ଜିଆ ମୁସ୍ତାଫା ମଧ୍ୟ ଆହତ ହୋଇଛି। ଖବର ଲେଖା ହେବା ସୁଦ୍ଧା ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି, ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି। ଅନ୍ୟପଟେ ଜମ୍ମୁ କଶ୍ମୀରର ସୋପିଆନ ଜିଲ୍ଲାରେ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବାବେଳେ ତାଙ୍କ ପରିଚୟ ମିଳିପାରିନାହିଁ। ଆଜି ସକାଳ ପ୍ରାୟ ୧୦ଟା ୩୦ ସମୟରେ ସୋପିଆନରେ ଥିବା ସିଆରପିଏଫ୍ କ୍ୟାମ୍ପ ଉପରେ ହମଲା କରିଥିଲେ ଆତଙ୍କବାଦୀ।