ଜାଣିଶୁଣି ଡିଆଇଜି ଓ ଏସପି ମମିତା କେସକୁ ଦୁର୍ବଳ କରୁଛନ୍ତି: ବିଜୟ ମହାପାତ୍ର

ଭୁବନେଶ୍ୱର,ଏନ୍ଏନ୍ଏସ୍: ମମିତା ମେହେରା ହତ୍ୟାକାଣ୍ଡ ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ ପରେ ଏବେ ଏହା ପଛରେ କେଉଁମାନେ ରହିଛନ୍ତି ତାକୁ ନେଇ ବଢିଛି ସସ୍‌ପେନ୍ସ। ପୂରା ମାମଲାରେ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ଛନ୍ଦି ହୋଇପଡିଥିବା ବେଳେ ଏବେ ମନ୍ତ୍ରୀ ଓ କଳାହାଣ୍ଡି ପୁଲିସ ନାମରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ବିଜେପିର ବରିଷ୍ଟ ନେତା ବିଜୟ ମହାପାତ୍ର।

ମମିତା ହତ୍ୟାକାଣ୍ଡ ପଛରେ ସିଧାସଳଖ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ହାତ ରହିଥିବା ଅଭିଯୋଗ କରି ବିଜୟ କହିଛନ୍ତି ପୂର୍ବରୁ ଗୋବିନ୍ଦ ଓ ମମିତାଙ୍କ ମଧ୍ୟରେ ବୁଝାମଣା ଉଦ୍ୟମ କରିଥିଲେ ନିଜେ ମନ୍ତ୍ରୀ ଦିବ୍ୟଶଙ୍କର। ଏହାସହିତ ମନ୍ତ୍ରୀଙ୍କ କିଛି କଲ ରେକର୍ଡ ମଧ୍ୟ ପୁଲିସ ହାତରେ ଲାଗିଛି ଯାହାକୁ ପୁଲିସ ଜାଣିଶୁଣି ଛପାଇବାକୁ ଉଦ୍ୟମ କରୁଛି। ମନ୍ତ୍ରୀଙ୍କ କଲ ରେକର୍ଡ ଯାଞ୍ଚ କଲେ ସବୁ ସତ ଧରା ପଡିବ ବୋଲି ବିଜୟ ମହାପାତ୍ର କହିଛନ୍ତି।

ଏହି କେସରେ ଡିଆଇଜି ଓ ଏସ୍ପି ଜାଣିଶୁଣି କେସକୁ ଦୁର୍ବଳ କରିବାକୁ ଚେଷ୍ଟା କରୁଛନ୍ତି। ଏହା ସହିତ କାହିଁକି ଏପର୍ୟ୍ୟନ୍ତ ଟିଆଇ ପରେଡ଼ କରାଯାଉନି ବୋଲି ପ୍ରଶ୍ନ କରିଛନ୍ତି ବିଜୟ। ସେପଟେ ଏହି ମାମଲାରେ କେବଳ ଯେ ମନ୍ତ୍ରୀ ଦିବ୍ୟଶଙ୍କର ରହିଛନ୍ତି ତାହା ନୁହେଁ ଆହୁରି ବଡ଼ ବଡ଼ ନେତା ମନ୍ତ୍ରୀ ମାନେ ଏଥିରେ ସମ୍ପୃକ୍ତ ଅଛନ୍ତି ବୋଲି ବିଜୟ ମହାପତ୍ର ଅଭିଯୋଗ କରିଛନ୍ତି।