ଆଫଗାନିସ୍ତାନ ହାତ ମୁଠାକୁ ଆସିବା ପରେ ଭାରତ ସହ ଆମଦାନୀ-ରପ୍ତାନି ବନ୍ଦ କଲା ତାଲିବାନ

ନୂଆଦିଲ୍ଲୀ,ଏଜେନ୍ସି: ଆଫଗାନିସ୍ତାନ ଉପରେ ତାଲିବାନ ଜବରଦଖଲ କରିବା ପରେ ଗୋଟିଏ ପରେ ଗୋଟିଏ ନିଷ୍ପତ୍ତି ବଦଳାଉଛି। ତାଲିବାନ ଏବେ ପଡୋଶୀ ତଥା ଅନ୍ୟ ଦେଶ ସହିତ ସଂପର୍କ ପରିବର୍ତ୍ତନ କରୁଥିବା ଦେଖିବାକୁ ମିଳୁଛି। ଅତୀତରେ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ମଧୁର ସମ୍ପର୍କ ଥିଲା। ତାଲିବାନ ଏହାକୁ ସହଜରେ ଗ୍ରହଣ କରିପାରୁ ନାହିଁ। ଆଫଗାନିସ୍ତାନକୁ ଜବରଦଖଲ କରିବା ପରେ ତାଲିବାନ ଏବେ ଭାରତ ସହ ଆମଦାନୀ ଓ ରପ୍ତାନି କାରବାର ବନ୍ଦ କରିଦେଇଛି। ଫେଡ଼ରେଶନ ଅଫ ଇଣ୍ଡିଆ ଏକ୍ସପୋର୍ଟ ଅର୍ଗାନାଇଜେଶନର ଡ. ଅଜୟ ସହାୟ ଏହା କହିଛନ୍ତି।

ଜାତୀୟ ଗଣମାଧ୍ୟମ ସଂସ୍ଥାକୁ ଶ୍ରୀ ସହାୟ କହିଛନ୍ତି ଯେ, ତାଲିବାନ ଏହି ସମୟରେ ସମସ୍ତ କାର୍ଗୋ ଚଳାଚଳକୁ ଅଟକାଇ ଦେଇଛି। ଆମର ସାମଗ୍ରୀ ସବୁବେଳେ ପାକିସ୍ତାନ ରାସ୍ତା ଦେଇ ଯାଉଥିଲା। ଆଫଗାନିର ସ୍ଥିତି ଉପରେ ଆମର ନଜର ରହିଛି, ଫଳରେ ସାମଗ୍ରୀ ଯୋଗାଣ ଆରମ୍ଭ ହୋଇପାରିବ। ବର୍ତ୍ତମାନ ପରିସ୍ଥିତିରେ ତାଲିବାନ ଆମ ଦେଶ ସହିତ ଆମଦାନୀ-ରପ୍ତାନି କାରବାରକୁ ଅଟକାଇ ଦେଇଛି।