କୋଭିଡ ମୁକାବିଲା ପାଇଁ ଅଣ୍ଟା ଭିଡ଼ିଲା ପ୍ରଶାସନ

ପାଟଣାଗଡ଼,ଏନ୍ଏନ୍ଏସ୍: କରୋନା ତୃତୀୟ ଲହରର ମୁକାବିଲା କରିବା ପାଇଁ ଉପଜିଲ୍ଲାପାଳ ଡା. ବିଜୟାନନ୍ଦ ସେଠୀଙ୍କ କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅଧିକାରୀଙ୍କ ମତାମତ ସଂଗ୍ରହ କରିବା ସହ କୋଭିଡ ମୁକାବିଲା ପାଇଁ ରୂପରେଖ ପ୍ରସ୍ତୁତ କରାଯାଇଛି। ସାମାଜିକ ଦୂରତ୍ୱ, ତୁଣ୍ଡି ପରିଧାନ ଓ ସାନିଟାଇଜରର ବ୍ୟବହାର ସାଙ୍ଗକୁ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଦୈନିକ ବଜାରକୁ ସାପ୍ତାହିକ ବଜାର ପ୍ରାଙ୍ଗଣ ଏବଂ ଗଡ଼ ଭିତର ଯାତ୍ରା ପଡି଼ଆକୁ ସ୍ଥାନାନ୍ତର କରିବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି। ସେହିପରି ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥ କିଣାବିକା ବେଳେ ସମାଜିକ ଦୂରତା ସହ ସତର୍କତା ଅବଲମ୍ବନ କରିବା ପାଇଁ ବଣିକ ସଂଘକୁ ନିବେଦନ କରାଯାଇଛି। ଟିକାକରଣ ଉପରେ ଗୁରୁତ୍ୱ ଦିଆଯିବାକୁ ବୈଠକରେ ଗୁରୁତ୍ୱ ପ୍ରକାଶ ପାଇଛି। ଉକ୍ତ କାର୍ଯ୍ୟକ୍ରମରେ ପାଟଣାଗଡ଼, ବେଲପଡ଼ା ଏବଂ ଖପ୍ରାଖୋଲ ତହସିଲଦାର, ବିଜ୍ଞାପିତ ଅଞ୍ଚଳ କାର୍ଯ୍ୟନିର୍ବାହୀ ଅଧିକାରୀ ଗୌରହରି ମହନ୍ତ, ପାଟଣାଗଡ଼ ଥାନାଧିକାରୀ ଅନନ୍ତ ପ୍ରଧାନ, ୩ଟି ଯାକ ବ୍ଲକର ସିଡିପିଓ, ଭାରପ୍ରାପ୍ତ ଉପଖଣ୍ଡୀୟ ଚିକିତ୍ସାଧିକାରୀ, ଉପଖଣ୍ଡସ୍ତରୀୟ ସାମ୍ବାଦିକ ସଂଘ ସଭାପତି ଲକ୍ଷ୍ମୀକାନ୍ତ ମିଶ୍ର, ସମ୍ପାଦକ ପ୍ରବୀଣ ପୁରୋହିତ, ସଦାଶିବ ସରାଫ ଓ ବଂଶୀଧର ସେଠ, ବଣିକ ସଂଘ ସଭାପତି ରାଜେଶ ମେହେର ଓ ଉଠା ଦୋକାନୀ ସଂଘର ସଭାପତି ଯୋଗ ଦେଇଥିଲେ। ସହକାରୀ ଜିଲ୍ଲାପାଳ କ୍ଷୀରୋଦ କୁମାର ସାହୁ ସ୍ୱାଗତ ଭାଷଣ ସହ ଧନ୍ୟବାଦ ଅର୍ପଣ କରିଥିଲେ।