କ୍ୱାରେଣ୍ଟାଇନ କେନ୍ଦ୍ରରେ ଏସିଡ ମାଡ଼

ରାୟଗଡ଼ା,ଏନ୍ଏନ୍ଏସ୍: ସାରା ଦେଶ ତଥା ରାଜ୍ୟରେ କରୋନା ପାଇଁ ଅନେକ ସଂଗରୋଧକ ଗୃହ ଖୋଲାଯାଇଛି। ଏଥିରେ ଯେଉଁମାନେ ରାଜ୍ୟ ବାହାରୁ ବା କରୋନା ସନ୍ଦିଗ୍ଧ ଥିବେ ସେମାନଙ୍କୁ ରଖାଯିବା ପାଇଁ ବ୍ୟବସ୍ଥା ରହିଛି। ଏହି ସମୟରେ ସେମାନଙ୍କ ଖାଇବା ଠାରୁ ଆରମ୍ଭ କରି ଚିକିତ୍ସା ପର୍ଯ୍ୟନ୍ତ ସମ୍ପୂଣ୍ଣ ମାଗଣା କରାଯାଇଛି। ଏଥିସହ କ୍ୱାରେଣ୍ଟାଇନରେ ରହିଥିଲେ ୨ ହଜାର ଟଙ୍କା ପ୍ରୋତ୍ସାହନ ରାଶି ଦେବାକୁ ନିର୍ଦ୍ଦେଶ ହୋଇଛି।

ଏହି ପରିପ୍ରେକ୍ଷୀରେ ଆଜି ରାୟଗଡ଼ା ଜିଲ୍ଲା କୁମ୍ଭୀକୋଟା ସଂଗରୋଧ ଗୃହରେ ଏସିଡ ମାଡ଼ ହୋଇଛି। ତେବେ କ୍ୱାରେଣ୍ଟାଇନରେ ରହୁଥିବା ୨ ଯୁବକଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଗଣ୍ଡଗୋଳ ହେବାରୁ ଏସିଡ ମାଡ଼ ହୋଇଥିଲା। ଉଭୟ ଯୁବକ ରାଜ୍ୟ ବାହାରର ଓ ସେମାନଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଥିଲା। ତେବେ ସେମାନଙ୍କ ମଧ୍ୟରେ ଜଣେ ସୁନାରୀ କାମ କରୁଥିବାରୁ ଏସିଡ ରଖିଥିଲେ। କିନ୍ତୁ କ୍ୱାରେଣ୍ଟାଇନ ଗୃହକୁ ଏସିଡ କିପରି ଗଲା ସେ ନେଇ ସାଧାରଣରେ ପ୍ରଶ୍ନ ହୋଇଛି।

ସେଠାରୁ ପୁଲିସ ଏସିଡରେ ଗୁରୁତର ହୋଇଥିବା ଯୁବକଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଛନ୍ତି। ସେହିପରି ଏହି ଘଟଣାର ତଦନ୍ତ କରାଯିବ ବୋଲି ରାୟଗଡା ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି।