ମାଲକାନଗିରି,ଏନ୍ଏନ୍ଏସ୍ : ମାଲକାନଗିରି ଜିଲ୍ଲାରେ ବନ ବିଭାଗ ଏବଂ ରାଜସ୍ୱ ବିଭାଗ ଟଣା ଓଟରାରେ ବଳି ପଡିଛନ୍ତି ଜଣେ ଖଣି ଲିଜ୍ ଧାରୀ। କ୍ରସର ମେସିନ ବସାଇ ମେଟାଲ, ବୋଲଡର ବିକ୍ରି କରି କିଛି ଅର୍ଥ ରୋଜଗାର କରିବା ପାଇଁ ଲିଜଧାରୀ ସମସ୍ତ କାଗଜପତ୍ର ଦାଖଲ କଲାପରେ ରାଜସ୍ୱ ବିଭାଗ ଅଧିକାରୀ ମାନେ ସର୍ଭେ କରି ୬.୩୩୩ ଏକର ସ୍ଥାନ ଚିହ୍ନଟ କରିବା ପରେ ଲିଜ ଦିଆଯାଇଥିଲା। କିନ୍ତୁ କାର୍ଯ୍ୟ ପୂର୍ବରୁ ସମ୍ପୃକ୍ତ ଲିଜଧାରୀ ବନ ବିଭାଗ ଦ୍ୱାରା ଗିରଫ ହେବା ଏବେ ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି।
ସୂଚନା ଅନୁଯାୟୀ, ମାଲକାନଗିରି ସଦର ତହସିଲ ଚଲାଣଗୁଡା ପଂଚାୟତ ରେଙ୍ଗାବନ୍ଧ ଗ୍ରାମ ନିକଟ ଏକ ଜଙ୍ଗଲିଆ ଅଂଚଳରେ ବିଜୟ ସାହୁ ନାମକ ଜଣେ ଲିଜଧାରୀ କ୍ରସର ବସାଇବା ପାଇଁ ସବୁ ପ୍ରକାର ଆନୁସଙ୍ଗିକ ନଥିପତ୍ର ଏବଂ ଅର୍ଥ ରାଜସ୍ୱ ବିଭାଗ ନିକଟରେ ଦାଖଲ କରିଥିଲେ। ପାଂଚବର୍ଷ ପାଇଁ ଶ୍ରୀ ସାହୁଙ୍କୁ ଲିଜ୍ ଦିଆ ଯାଇଥିଲା। ଖଣି ନିଗମ ଚିଠି ସଂଖ୍ୟା ୨୫୯୯/ଏକ୍ସ.ଆଇ.ଭି. , ତାରିଖ ୨୨/୦୭/୨୦୧୬ ରେ ଶ୍ରୀ ସାହୁଙ୍କୁ ଆଦେଶ ଦିଆ ଯାଇଥିଲେ ମଧ୍ୟ ଶ୍ରୀ ସାହୁ ବିଳମ୍ବରେ ଏହି କାର୍ଯ୍ୟ ଆରମ୍ଭ କରିଥିଲେ। ଖଣି ନିଗମ ମାଲକାନଗିରି ରାଜସ୍ୱ ବିଭାଗ ସହ ଏହି ଅଂଚଳ ସର୍ଭେ କରି ରିପୋର୍ଟରେ ଦର୍ଶାଇଛନ୍ତି ଯେ, ଯେଉଁ ଅଂଚଳ ଶ୍ରୀ ସାହୁଙ୍କୁ ଲିଜ୍ ଦିଆଯାଇଛି ସେହି ସ୍ଥାନ ରାଜସ୍ୱ ବିଭାଗ ଅଧିନରେ ଥିବା ଜମି।
