ଦେବଗଡ଼, ଏନ୍ଏନ୍ଏସ୍: ଦେବଗଡ଼ ଥାନା ଅନ୍ତର୍ଗତ ସାମାନ୍ତରାପାଲି ଗ୍ରାମରେ ଆଜି ହିଟ ଏଣ୍ଡ ରନ ଘଟଣାରେ ଜଣେ ଅବସରପ୍ରାପ୍ତ ସିଆଇଏସଏଫ ଅଧିକାରୀଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟଜଣେ ବାଇକ ଆରୋହୀ ଗୁରୁତର ହୋଇଛନ୍ତି । ମୃତ ସିଆଇଏସଏଫ ଅଧିକାରୀ ଜଣକ ହେଲେ ସାମାନ୍ତ୍ରାପାଲି ଗ୍ରାମର ସୁଶୀଲ ସାମଲ ଏବଂ ଗୁରୁତର ଜଣକ ହେଲେ ସୁନାମୁଣ୍ଡା ଗ୍ରାମର ପ୍ରଶାନ୍ତ କୁମାର ସାହୁ । ଉକ୍ତ ଘଟଣାକୁ ନେଇ ଉତ୍ତ୍ୟକ୍ତ ଗ୍ରାମବାସୀ ରାସ୍ତା ଅବରୋଧ କରିଥିବାବେଳେ ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ଯାନବାହାନ ଅଟକି ରହିଛି । ଦୁର୍ଘଟଣା ଘଟାଇଥିବା କାର ଚାଳକ ଛେପଲିପାଲି ଗ୍ରାମର ଭରତ ଚରଣ ମହାନନ୍ଦଙ୍କୁ ଉତ୍ୟକ୍ତ ଲୋକଙ୍କ କବଳରୁ ଦେବଗଡ଼ ଥାନା ପୁଲିସ ଉଦ୍ଧାର କରି ଥାନାରେ ଅଟକ ରଖିଛି । ଦିନ ପ୍ରାୟ ୧୨ଟା ୩୦ରେ ରାଞ୍ଚି ବିଜୟୱାଡା ରାସ୍ତାଦେଇ ଛେପଲିପାଲି ଗ୍ରାମରୁ ଦେବଗଡ଼ ପଟକୁ ଦ୍ରୁତ ଗତିରେ ଆସୁଥିବା ଫିଆଗୋ କାର ରାସ୍ତା କଡ଼ରେ ଥିବା ଏକ ସେଲୁନ ସମ୍ମୁଖରେ ବସିଥିବା ବ୍ୟକ୍ତିଙ୍କୁ ଧକ୍କା ଦେଇଥିଲା । ଫଳରେ ସେଠାରେ ଥିବା ୩ଟି ବାଇକ ମଧ୍ୟ ଭାଙ୍ଗି ଯାଇଥିଲା । ଉତ୍ତେଜନାକୁ ଦେଖି ବହୁ ସଂଖ୍ୟକ ପୁଲିସ ଅଧିକାରୀ ଓ କର୍ମଚାରୀ ଘଟଣାସ୍ଥଳରେ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିବା ଦେଖିବାକୁ ମିଳିଛି ।