ଭାରସାମ୍ୟ ହରାଇ ଗଛରେ ପିଟିହେଲା ବୋଲେରୋ, ୪ ମୃତ, ୪ ଗୁରୁତର

କେନ୍ଦୁଝର, ଏନ୍ଏନ୍ଏସ୍ : ଭାରସାମ୍ୟ ହରାଇ ୧୦ ଫୁଟ ରାସ୍ତା ତଳକୁ ଏକ ବୋଲେରୋ ଖସି ପଡି ଗଛରେ ପିଟି ହେବାରୁ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ବୁଧବାର ରାତିରେ ଏକ ବୋଲେରୋ ଗାଡିରେ ମୟୁରଭଞ୍ଜ ଜିଲ୍ଲାର ହାଟବାଦଲା ଓ ଟେଣ୍ଟପଶି ଗାଁରୁ ୧୨ ଜଣ ଲୋକ କେନ୍ଦୁଝର ପଣ୍ଡାପଡା ଥାନାର ଜିରାଙ୍ଗକୁ ଗୋରୁ କିଣିବାକୁ ଯାଉଥିଲେ। ରାତି ପ୍ରାୟ ୨ଟାରେ ସୋମଗିରୀ ନିକଟରେ ବୋଲେରୋଟି ଭାରସାମ୍ୟ ହରାଇ ରାସ୍ତାର ୧୦ ଫୁଟ ତଳକୁ ଖସିଯିବା ସହ ଏକ ଗଛରେ ପିଟି ହୋଇ ଯାଇଥିଲା।

ଫଳରେ ଗାଡିରେ ଥିବା ଲୋକଙ୍କ ମଧ୍ୟରୁ ଘଟଣାସ୍ଥଳରେ ହିଁ ୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪ଜଣ ଗୁରୁତର ହୋଇ ପଡିଥିଲେ। ମୃତକମାନେ ହେଲେ ମୟୁରଭଞ୍ଜ ଜିଲ୍ଲା ବହଳଦା ଥାନା ଟାଙ୍ଗରଯୋଡା ଗ୍ରାମର କଲାଇ ବିରୁଆ(୪୫) ଓ ବିର୍ସା ବିରୁଆ(୬୦), ଚହଲାପଦା ଗ୍ରାମର କନ୍ଦା ଓଗରଛାଣ୍ଡି(୬୦) ଓ ରାଇରଙ୍ଗପୁର ଥାନା ଉପରବେଡା ଗ୍ରାମର କାର୍ତ୍ତିକ ଚନ୍ଦ୍ର ଟୁଡୁ(୬୦)। ପଣ୍ଡାପଡା ଥାନା ଅଧିକାରୀ ପଦ୍ମାଳୟା ସାହୁ ଘଟଣାସ୍ଥଳରେ ପହଞ୍ଚି ବୋଲେରୋକୁ ଜବତ କରିବା ସହ ମୃତକମାନଙ୍କ ଶବ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନା ପଠାଇଛନ୍ତି। ପଣ୍ଡାପଡା ଥାନା ଏଏସ୍ଆଇ ଦୁଃଶାସନ ସାହୁ ଏହି ଘଟଣାର ତଦନ୍ତ ଦାୟିତ୍ୱ ନେଇଥିବା ଜଣାପଡିଛି।