ଶ୍ରୀନଗର,ଏଜେନ୍ସି: ସୀମାପାର ଆତଙ୍କବାଦ ନେଇ ଭାରତୀୟ ସୁରକ୍ଷା ବଳ ହାତରେ ଗୁରୁତ୍ବପୂର୍ଣ୍ଣ ଗୁଇନ୍ଦା ସୂଚନା ଲାଗିଛି। ଭାରତ ପାକିସ୍ତାନ ଅନ୍ତର୍ଜାତୀୟ ସୀମା ତଥା ନିୟନ୍ତ୍ରଣ ରେଖା (ଏଲ୍ଓସି)ର ଅପରପାର୍ଶ୍ବରେ ସକ୍ରିୟ ରହିଛି ପ୍ରାୟ ୧୨ରୁ ଊର୍ଦ୍ଧ୍ବ ଆତଙ୍କୀ ଶିବିର। ପାକିସ୍ତାନ ଅଧିକୃତ କାଶ୍ମୀର ଅଞ୍ଚଳରେ ଏହି ସବୁ ଆତଙ୍କୀ କ୍ୟାମ୍ପ ସକ୍ରିୟ ରହିଛି। ପାକିସ୍ତାନ ସେନା ସେମାନଙ୍କୁ ଭାରତୀୟ ସୀମାରେ ଅନୁପ୍ରବେଶ କରିବା ଲାଗି ପ୍ରଶିକ୍ଷଣ ମଧ୍ୟ ଦେବାରେ ଲାଗିଛି।
ଗୁଇନ୍ଦା ଇନପୁଟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏହି କ୍ୟାମ୍ପରେ ପ୍ରାୟ 2ଶହ ଆତଙ୍କବାଦୀ ପ୍ରଶିକ୍ଷିତ ହେଉଛନ୍ତି। ସୁଯୋଗ ଦେଖି ସେମାନେ ଏଲ୍ଓସି ଅତିକ୍ରମ କରି ଭାରତୀୟ ସୀମାରେ ପ୍ରବେଶ କରିବେ। ପାକିସ୍ତାନ ସେନାର କମାଣ୍ଡରମାନେ ତାଙ୍କୁ ସମସ୍ତ ପ୍ରକାର ପ୍ରଶିକ୍ଷଣ ଓ ଅନ୍ୟାନ୍ୟ ସହଯୋଗ ମଧ୍ୟ ଯୋଗାଇବାରେ ଲାଗିଛନ୍ତି। ଏହି କ୍ୟାମ୍ପଗୁଡିକରେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବା, ଜୈସ-ଏ ମହମ୍ମଦ, ଜିଜବୁଲ ମୁଜାହିଦ୍ଦିନ ପ୍ରମୁଖ ଆତଙ୍କୀ ଗୋଷ୍ଠୀ ସେମାନଙ୍କ ଜିହାଦୀମାନଙ୍କୁ ଅନୁପ୍ରବେଶ ଓ ଆକ୍ରମଣ ତାଲିମ ଦେଉଛନ୍ତି। ପ୍ରତିବର୍ଷ ଶୀତ ଋତୁ ଆରମ୍ଭ ହେବା ପୂର୍ବରୁ ପାକିସ୍ତାନ ଭାରତରେ ଆତଙ୍କବାଦୀ ଅନୁପ୍ରବେଶ କରାଇବା ପାଇଁ ଉଦ୍ୟମ କରେ।
ତୁଷାରପାତ, ଖରାପ ପାଗ, ଲୋ-ଭିଜିବିଲିଟିର ସୁଯୋଗ ନେଇ ପାକିସ୍ତାନ ଅନୁପ୍ରବେଶକାରୀମାନେ ସୀମା ପାର ହେବା ପାଇଁ ଉଦ୍ୟମ କରନ୍ତି। ଏବେ କଶ୍ମୀରରେ ପ୍ରସିଦ୍ଧ ଅମରନାଥ ଯାତ୍ରା ଜାରି ରହିଥିବା ବେଳେ ଆକ୍ରମଣ ଆଶଙ୍କାଙ୍କୁ ମଧ୍ୟ ଏଡାଯାଇ ନପାରେ। ଏପରି ସୂଚନା ପାଇବା ପରେ ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ଓ ଭାରତୀୟ ସେନା ପକ୍ଷରୁ ସୀମାରେ ପାଟ୍ରୋଲିଂକୁ କଡାକଡି କରାଯାଇଛି। ଯେକୌଣସି ଅନୁପ୍ରବେଶ ଗତିବିଧି ଉପରେ ସ୍ବତନ୍ତ୍ର ଦୃଷ୍ଟି ରଖାଯାଇଛି। ଏପରି ଉଦ୍ୟମ ନଜରକୁ ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସେନା ପ୍ରସ୍ତୁତ ରହିଛି।