ୟୁକ୍ରେନ୍‌ରୁ ସୁରକ୍ଷିତ ଭାବେ ଭାରତ ଫେରିଲେଣି ୨୨,୫୦୦ ନାଗରିକ: ଟିଏସ୍ ତିରୁମୂର୍ତ୍ତି

ନୂଆଦିଲ୍ଲୀ,ଏଜେନ୍ସି: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ସଂଘର୍ଷ ଜାରି ଥିବା ବେଳେ ଯୁଦ୍ଧ ଶେଷ କରିବା ପାଇଁ ଭାରତ ପୁଣି ଥରେ ଅପିଲ କରିଛି। ସଂଯୁକ୍ତ ରାଷ୍ଟ୍ର ସଂଘର ଜରୁରୀକାଳୀନ ବୈଠକରେ ଭାରତ ଅଂଶଗ୍ରହଣ କରି କହିଛି ଯେ, ରୁଷିଆ-ୟୁକ୍ରେନ୍ ଲଢ଼େଇରେ ନାଗରିକଙ୍କ ମୃତ୍ୟୁ ଓ ବିସ୍ଥାପନ ବ୍ୟବସ୍ଥା ବିଗିଡ଼ିଛି। ସଂଯୁକ୍ତ ରାଷ୍ଟ୍ରରେ ଭାରତୀୟ ରାଜଦୂତ ଟିଏମ୍ ତିରୁମୂର୍ତ୍ତି ଜୋରଦେଇ କହିଛନ୍ତି ଯେ, ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧରେ ପ୍ରଭାବିତ ଲୋକଙ୍କୁ ମାନବୀୟ ଆବଶ୍ୟକତା ପୂରା କରିବାକୁ ଜରୁରୀକାଳୀନ ଆବଶ୍ୟକତା ରହିଛି। ସେ କହିଛନ୍ତି ଯେ, ୟୁକ୍ରେନ୍‌ରୁ ଭାରତ ପାଖାପାଖି ୨୨ ହଜାର ୫୦୦ ନାଗରିକଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିଛି।

ବୁଧବାର ଅନ୍ତର୍ଜାତୀୟ ଅଦାଲତ (ଆଇସିଜେ) ନିଜର ଫଇସଲା ଶୁଣାଇଛନ୍ତି। ଆଇସିଜେ କହିଛନ୍ତି ଯେ, ଉଭୟ ପକ୍ଷ ତୁରନ୍ତ ଯୁଦ୍ଧ ବନ୍ଦ କରନ୍ତୁ। ନିଜ ଆଦେଶରେ କହିଛନ୍ତି, ରୁଷିଆ ଓ ୟୁକ୍ରେନ୍‌ର ଯୁଦ୍ଧ ବିବାଦ ଆଗକୁ ନବଢ଼ୁ। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ମୁଖପାତ୍ର ଜେନ ପାସ୍କି ମଧ୍ୟ ହକିଛନ୍ତି ଯେ, ରୁଷିଆରୁ ଭାରତ ଅଶୋଧିତ ତୈଲ କଣିବା ଆମେରିକା ଦ୍ୱାରା ଲାଗୁ କରାଯାଇଥିବା କୌଣସି କଟକଣାର ଉଲ୍ଲଂଘନ ନୁହେଁ। ଏବେ ଉଭୟ ଦେଶ ଶାନ୍ତି ପାଇଁ କଥାବାର୍ତ୍ତା ଆରମ୍ଭ କରିଛନ୍ତି।

ସୋମବାର ଦୁଇ ଦେଶ ମଧ୍ୟରେ ପ୍ରାୟ ସାଢ଼େ ୩ ଘଣ୍ଟା ପର୍ଯ୍ୟନ୍ତ କଥାବାର୍ତ୍ତା ହୋଇଛି। କିନ୍ତୁ ସମସ୍ୟାର କୌଣସି ସମାଧାନ ରାସ୍ତା ବାହାରି ପାରିନାହିଁ। ଆଲୋଚନା ସଫଳ ହୋଇ ନଥିବାରୁ ଆଗାମୀ ଦିନରେ ଯୁଦ୍ଧ ଅତି ଭୟଙ୍କର ନ ହେବ, ତାହା କହିହେବ ନାହିଁ।