ପୁଣି ଇଡ଼ିରେ ହାଜର ହେଲେ ଅଭୟକାନ୍ତ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଅବସରପ୍ରାପ୍ତ ଆଇଏଫ୍‌ଏସ୍ ଅଭୟକାନ୍ତ ପାଠକ ଗୁରୁବାର ଇଡ଼ି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)ରେ ପୁଣି ହାଜର ହୋଇଛନ୍ତି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଏବଂ ଟାଟା କମ୍ପାନୀର ଚାକିରୀ ଦେବା ନାଁରେ ଠକେଇ ମାମଲାରେ ତାଙ୍କୁ ପଚରାଉଚରା କରାଯାଇଛି। ଏହାସହ ତାଙ୍କ ଆକାଉଣ୍ଟରୁ ଅନ୍ୟମାନଙ୍କ ଆକାଉଣ୍ଟକୁ ଟ୍ରାଞ୍ଜାକ୍ସନ ହୋଇଥିବା କୋଟି କୋଟି ଟଙ୍କା ସମ୍ପର୍କରେ ଖୋଳତାଡ଼ କରାଯାଇଛି। ପୂର୍ବରୁ ଅକ୍ଟୋବର ୫ତାରିଖରେ ସେ ଇଡ଼ିରେ ହାଜର ହୋଇଥିଲେ। ସେଦିନ ତାଙ୍କୁ ୧୧ଘଣ୍ଟା ଧରି ଜେରା କରାଯାଇଥିଲା। ମାମଲାର ତଦନ୍ତ ଜାରି ରହିଥିବାବେଳେ ଇଡ଼ିକୁ ପୁଣି କିଛି ସୁରାକ୍ ମିଳିଛି। ଏବାବଦରେ ଅଧିକ ପଚରାଉଚରା କରିବା ପାଇଁ ତାଙ୍କୁ ଡ଼କାଯାଇଥିଲା ବୋଲି ଇଡ଼ିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ସେହିପରି ଟାଟା କମ୍ପାନୀରେ ଠକେଇ ମାମଲାରେ ପୂର୍ବରୁ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ସମନ୍ କରାଯାଇଥିଲେ ବି ସେ ଆସିନଥିଲେ। ଏହାସହ ଆଗାମୀ ଦିନରେ ଆକାଶ ପାଠକଙ୍କୁ ଇଡି ପଚରାଉଚରା କରିବ ବୋଲି ଜଣାପଡ଼ିଛି।

ଅଭୟକାନ୍ତଙ୍କ ଏତେ ପରିମାଣର ବେଆଇନ ସମ୍ପତ୍ତି ବାହାରିବାରୁ ଇଡ଼ି ନିଜ ଆଡୁ ଏକ ମାମଲା ରୁଜୁ କରିଥିଲା। ପରେ ଏହି ମାମଲାର ତଦନ୍ତ କରିବା ପାଇଁ ପୁଣି ଅଭୟକାନ୍ତଙ୍କୁ ସମନ୍ ପଠାଯାଇଥିଲା। ସମନ୍ ପାଇବା ପରେ ଗୁରୁବାର ସକାଳେ ସେ ଇଡ଼ି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ତାଙ୍କୁ ବିଭିନ୍ନ ଦିଗକୁ ନେଇ ପ୍ରଶ୍ନ ପଚରାଯାଇଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଅଭୟକାନ୍ତ ପାଠକଙ୍କୁ ଗତ ନଭେମ୍ବର ମାସରେ ଭିଜିଲାନ୍ସ ଗିରଫ କରିଥିଲା। ପରେ ସେ ଜାମିନ୍‌ରେ ଆସିଥିବାବେଳେ ତାଙ୍କ ପୁଅ ଆକାଶ ପାଠକ ଏବେ ଜେଲ୍‌ରେ ଅଛନ୍ତି। ଅଭୟକାନ୍ତଙ୍କ ସମୁଦାୟ ୯ କୋଟି ୩୫ ଲକ୍ଷର ଆୟ ବର୍ହିଭୂତ ସମ୍ପତ୍ତି ବାହାରିଥିଲା। ଯାହା ତାଙ୍କ ଆୟର ୪୩୫ ପ୍ରତିଶତ ଅଧିକା।

ଖାଲି ଏତିକି ନୁହେଁ, ତାଙ୍କ ଘରୁ ନଗଦ ୬୦ ଲକ୍ଷ ଟଙ୍କା ମଧ୍ୟ ମିଳିଥିଲା। ଏତେ ପରିମାଣର ଟଙ୍କା କେଉଁଠୁ ଆଣିଲେ, କେଉଁଠି ନିବେଶ କରିଥିଲେ, ଟଙ୍କା କମେଇବାର ଉତ୍ସ କ’ଣ, ଏଥିରେ ଆଉ କାହାର ହାତ ଅଛି, କେଉଁ ସରକାରୀ ଯୋଜନା ଟଙ୍କା ହଡ଼ପ କରିଥିଲେ, ରାଜ୍ୟର କେଉଁଠି ଜଙ୍ଗଲ ଦୁର୍ନୀତି କରିଥିଲେ କି, ଏଭଳି ଅନେକ ଦିଗକୁ ନେଇ ତାଙ୍କୁ ପଚରାଉଚରା କରାଯାଇଛି।