ଶିକ୍ଷକଙ୍କଠାରୁ ଲାଞ୍ଚ ନେଇ ଫସିଲେ ଏବିଇଓ

  • ବଲାଙ୍ଗିର,କଣ୍ଟାବାଞ୍ଜି: ଜଣେ ଶିକ୍ଷକଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକର ଏବିଇଓ ଦେବରାଜ ଦାସ।
    ସୂଚନା ଅନୁଯାୟୀ, ୨୦୧୯ ମସିହାରେ ମେଡିକାଲ୍ ଛୁଟିରେ ଥିବା ଚାଉଲଫୁଫୁଡ଼ା ସ୍କୁଲର ଶିକ୍ଷକ ବଇଦ୍ରୁତ ସାହୁ ସ୍ୱାଧୀନତା ଦିବସରେ ଅନୁପସ୍ଥିତ ଥିବା ଯୋଗୁଁ ମୁରିବାହାଲର ତତ୍କାଳୀନ ବିଇଓ ତାଙ୍କୁ ନିଲମ୍ବନ କରିଥିଲେ। ଏହି ଘଟଣାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା। ଆଉ ତଦନ୍ତ ଅଧିକାରୀ ଥିଲେ ଏବିଇଓ ଦେବରାଜ ଦାସ। ଘଟଣାର ତଦନ୍ତ ସରିଥିଲେ ବି ବିଇଓଙ୍କୁ ଏବିଇଓ ରିପୋର୍ଟ ପ୍ରଦାନ କରି ନଥିଲେ। ବିଇଓଙ୍କ ନିକଟରେ ଶୀଘ୍ର ରିପୋର୍ଟ ଦାଖଲ କରିବାକୁ ଶିକ୍ଷକ ବଇଦ୍ରୁତ ସାହୁ ଏବିଇଓଙ୍କୁ ଅନୁରୋଧ କରିଥିଲେ। ଏହାପରେ ଏବିଇଓ ତାଙ୍କ ସପକ୍ଷରେ ରିପୋର୍ଟ ଦେବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଶେଷରେ ୫ ହଜାର ଟଙ୍କାରେ ଡିଲ ହୋଇଥିଲା।
    ଶିକ୍ଷକ ଶ୍ରୀ ସାହୁ ଏନେଇ ବଲାଙ୍ଗିର ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ। ଭିଜିଲାନ୍ସ ବିଭାଗ ତରଫରୁ ଶିକ୍ଷକଙ୍କୁ କେମିକାଲ ଲଗା ଟଙ୍କା ଦିଆଯାଇଥିଲା। ନିଜ ଅଫିସରେ ଶିକ୍ଷକଙ୍କଠାରୁ ଏବିଇଓ ସେହି ଟଙ୍କା ଗ୍ରହଣ କରୁଥିବାବେଳେ ପୂର୍ବ ଯୋଜନା ମୁତାବକ ତାଙ୍କୁ ଧରିଥିଲେ ଭିଜିଲାନ୍ସ ଅଧିକାରୀ। ଅନ୍ୟପକ୍ଷରେ ଏବିଇଓ ଦେବରାଜ ଦାସ ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗକୁ ଅସ୍ୱୀକାର କରିଛନ୍ତି।