ସଇଁନ୍ତଲା,ଏନ୍ଏନ୍ଏସ୍: ସଇଁନ୍ତଲା ଥାନା ପରିସରରେ ଆମ ପୁଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଥାନାଧିକାରୀ ଅବନୀ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ, ଏସଆଇ ଶଙ୍କରଲାଲ ମିର୍ଦ୍ଧା, ଏଏସଆଇ ସର୍ବେଶ୍ୱର ସାହୁ ଓ ଥବୀର ମହାରଣା ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ପରିପ୍ରେକ୍ଷୀରେ ଥାନାଧିକାରୀ ଶ୍ରୀ ସାହୁ ଅଞ୍ଚଳରେ ଅପରାଧ କମାଇବାକୁ ହେଲେ ଜନସାଧାରଣଙ୍କ ସହେଯାଗ ନିତାନ୍ତ ଆବଶ୍ୟକ ବୋଲି କହିଥିଲେ । ସେହିପରି ଉପସ୍ଥିତ ଜନସାଧାରଣମାନେ ମାସକୁ ଥରେ ବିଭିନ୍ନ ଗ୍ରାମାଞ୍ଚଳରେ ଆମ ପୁଲିସ ସମିତି ବୈଠକ କରିବା, ଅଞ୍ଚଳରେ ଚାଲିଥିବା ନିଶା କାରବାର ପ୍ରତି ପୁଲିସ ପ୍ରଶାସନ ଦୃଷ୍ଟି ଦେଇ ତାକୁ ବନ୍ଦ କରିବା, ବଲାଙ୍ଗିର ଭଳି ସଇଁନ୍ତଲା ଅଞ୍ଚଳରେ ମଧ୍ୟ ଗୁଣ୍ଡା ଦମନ କାର୍ଯ୍ୟକ୍ରମକୁ ଆରମ୍ଭ କରାଯିବା ଦ୍ୱାରା ଅପରାଧୀଙ୍କ ମନରେ ଭୟ ସୃଷ୍ଟି ହେବ । ବଲାଙ୍ଗିର ଓ କଳାହାଣ୍ଡି ଜିଲ୍ଲାର ସୀମାନ୍ତ ବେଲଗାଁରେ ଏକ ଫାଣ୍ଡି ଥିବାବେଳେ ସେଠାରେ କୌଣସି ଅଧିକାରୀ ନଥିବାରୁ ବେଲଗାଁରେ ତୁରନ୍ତ ଅଧିକାରୀ ନିଯୁକ୍ତ କରିବାକୁ ଉପସ୍ଥିତ ଜନସାଧାରଣ ଦାବୀ ଜଣାଇଥିଲେ । ସଇଁନ୍ତଲା ଥାନା ଅଞ୍ଚଳରେ ୩ଟି ଫାଣ୍ଡି ଥିବାବେଳ ବହୁ ପଦବୀ ଖାଲି ରହିଥିବାରୁ ତାକୁ ତୁରନ୍ତ ପୂରଣ କରିବା ସହ ପେଟ୍ରୋଲିଂ ପାଇଁ ଏକ ପିସିଆର ଭ୍ୟାନ ଜିଲ୍ଲା ପ୍ରଶାସନ ତରଫରୁ ଯୋଗାଇ ଦେବାକୁ ବଲାଙ୍ଗିର ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଜଣାଇବାକୁ ଥାନାଧିକାରୀ ଶ୍ରୀ ସାହୁଙ୍କୁ ଉପସ୍ଥିତ ଜନସାଧାରଣ ଅନୁରୋଧ କରିଥିଲେ । ଏହି ବୈଠକରେ ସଇଁନ୍ତଲା ଜିଲ୍ଲା ପରିଷଦ ସଦସ୍ୟ ପ୍ରମୋଦ ଭୋଇ, ସଇଁନ୍ତଲା ସରପଞ୍ଚ, ଟିକ୍ରାପଡ଼ା ଜିଲ୍ଲା ପରିଷଦ ସଦସ୍ୟ ହିମାଞ୍ଚଳ ବୁଡ଼େକ, ବିବିନା ସରପଞ୍ଚ ପୁରୁଷୋତ୍ତମ କଲତା, କୁମ୍ଭାରୀ ସରପଞ୍ଚ ଶୈଳେନ୍ଦ୍ରୀ ମହାନନ୍ଦ, କୃଷକ ସଂଘର ସଭାପତି ସତ୍ୟ ନାରାୟଣ ପଣ୍ଡାଙ୍କ ସମେତ ବ୍ଲକ ଅଞ୍ଚଳର ବହୁ ଜନସାଧାରଣ ଯୋଗ ଦେଇଥିଲେ ।