ହସ୍ପିଟାଲ ବାରଣ୍ଡାରେ ଜନ୍ମଦେଲେ ମହିଳା

ଭଦ୍ରକ,ଏନ୍ଏନ୍ଏସ୍: ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ବାହାରେ ଗର୍ଭବତୀ ପ୍ରସବ କରିବା ଘଟଣା ମନରୁ ନଯାଉଣୁ ସୋମବାର ପୁଣି ଭଦ୍ରକ ମେଡିକାଲ ବାରଣ୍ଡାରେ ଜଣେ ମହିଳା ପ୍ରସବ କରିଥିବା ଜଣାପଡିଛି। ଉକ୍ତ ମହିଳା ଜଣଙ୍କ ଯାଆଁଳା ଝିଅକୁ ଜନ୍ମ ଦେଇଛନ୍ତି।

ସୂଚନା ଅନୁସାରେ, ତିହିଡି ବ୍ଲକ ଅନ୍ତର୍ଗତ ତଳଡୁମୁକା ଗ୍ରାମର ଜଣେ ମହିଳା ଆଜି ସକାଳେ ଭଦ୍ରକ ଜିଲ୍ଲା ହସ୍ପିଟାଲର ପ୍ରସୂତି ବିଭାଗରେ ଆଡମିଶନ ହୋଇଥିଲେ। କିନ୍ତୁ ତାଙ୍କର ଅବସ୍ଥା ସଙ୍ଗୀନ ଅଛି । ତେଣୁ କଟକ ବଡମେଡିକାଲକୁ ଡାକ୍ତର ରେଫର କରିଥିଲେ। କିନ୍ତୁ ମହିଳା ଜଣଙ୍କର ଭୀଷଣ ପ୍ରସୂତି ଯନ୍ତ୍ରଣା ହେବାରୁ ସେ ପ୍ରସୂତି ବିଭାଗ ବାରଣ୍ଡାରେ ଦୁଇ ଜମଜ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଥିଲେ। ଗଣମାଧ୍ୟମ ପ୍ରତିନିଧି ଏ ବିଷୟରେ ଜାଣିବା ପରେ ହସ୍ପିଟାଲ କର୍ତ୍ତୃପକ୍ଷ ଉକ୍ତ ମହିଳାଙ୍କୁ ପ୍ରସୂତି ବିଭାଗରେ ପୁନଃ ଆଡମିଶନ କରାଇଥିଲେ।

ସୋମବାର ଭଦ୍ରକ ଜିଲ୍ଲା ମେଡିକାଲକୁ ୫ଟି ସଚିବ ଭିକେ ପାଣ୍ଡିଆନ ପରିଦର୍ଶନ କରିଥିବାବେଳେ ଏହାର କିଛି ସମୟ ପୂର୍ବରୁ ଏହି ଅଭାବନୀୟ ଘଟଣା ଘଟିଥିବାରୁ ଚର୍ଚ୍ଚାର ବିଷୟ ହୋଇଛି।