ନିଆରା ଢଙ୍ଗରେ ଏସପିଙ୍କୁ ବିଦାୟୀ ସମ୍ପର୍ଦ୍ଧନା ଦେଲେ କର୍ମଚାରୀ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଦୀର୍ଘ ୩୯ ବର୍ଷ ଧରି ଓଡିଶା ପୁଲିସକୁ ସେବା ପ୍ରଦାନ ପରେ ଆଜି ଚାକିରିରୁ ଅବସର ଗ୍ରହଣ କଲେ ଦେବଗଡ଼ ଏସପି ରାଜକିଶୋର ପାଇକରାୟ। ଏହି ଅବସରରେ ନିଆରା ଢଙ୍ଗରେ ଏସ୍‌ପିଙ୍କୁ ବିଦାୟ ଦେଲେ ଜିଲ୍ଲା ପୁଲିସରେ କାର୍ଯ୍ୟରତ ଗ୍ରାମରକ୍ଷୀ ଠାରୁ ଅତିରିକ୍ତ ଏସ୍‌ପି ପର୍ଯ୍ୟନ୍ତ ପୁଲିସ କର୍ମଚାରୀ। ଆଜି ମଧ୍ୟାହ୍ନରେ ପୁଲିସ ରିଜର୍ଭ କାର୍ଯ୍ୟାଳୟ ପରିସରରେ ଆୟୋଜିତ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାରେ ଏକ ସୁସଜ୍ଜିତ ଗାଡିରେ ଏସପି ଶ୍ରୀ ପାଇକରାୟ ସଭାମଞ୍ଚକୁ ଆସିଥିବା ବେଳେ ଅତିଥି ଭାବେ ଜିଲ୍ଲାପାଳ ସୌମେଶ ଉପାଧ୍ୟାୟ, ବନଖଣ୍ଡ ଅଧିକାରୀ ମଗର ଧନାଜି ରାଓସୋ, ଅତିରିକ୍ତ ଏସପି ଅଙ୍କୁର ମଲ୍ଲିକ ଓ ଏସ୍‌ଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ର ପ୍ରମୁଖ ମଞ୍ଚାସିନ ରହି ଏସପି ଶ୍ରୀ ପାଇକରାୟଙ୍କ କାର୍ଯ୍ୟ ଦକ୍ଷତା ଓ ଜିଲ୍ଲା ପୁଲିସରେ ଶ୍ରୀ ପାଇକରାୟଙ୍କ ଅବଦାନ ସମ୍ପର୍କରେ ଆଲୋଚନା କରିବା ସହ ଜିଲ୍ଲା ପୁଲିସ ସମେତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।

ଏହି ଅବସରରେ ଜିଲ୍ଲା ପୁଲିସ ପକ୍ଷରୁ ଶ୍ରୀ ପାଇକରାୟଙ୍କୁ କାନ୍ଧରେ ବସାଇ ରିଜର୍ଭ ପୁଲିସ କାର୍ଯ୍ୟାଳୟରୁ ବାହାରକୁ ଅଣା ଯାଇଥିବା ବେଳେ ପୁଲିସ ବ୍ୟାଣ୍ଡ ଧୁନର ତାଳେ ତାଳେ ପୁରୁଷ ଓ ମହିଳା ପୁଲିସ କର୍ମଚାରୀମାନେ ଏସପିଙ୍କୁ ତାଙ୍କ ବାସଭବନ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରାରେ ପାଛୋଟି ଆଣିଥିଲେ। କର୍ମଚାରୀଙ୍କ ଏଭଳି ଭବ୍ୟ ଆୟୋଜନ ଓ ଭଲପାଇବା ଦେଖି ଏସପି ଶ୍ରୀ ପାଇକରାୟ ଓ ତାଙ୍କ ସହଧର୍ମିଣୀଙ୍କ ଆଖି ଛଳଛଳ ହୋଇଯାଇଥିଲା। ଏହି ଦୃଶ୍ୟ ପରିବେଶକୁ ଗମ୍ଭୀର ଓ ଭାବ ବିହ୍ଵଳ କରିଥିଲା। ଦେବଗଡ଼ ଜିଲ୍ଲାରେ ପ୍ରଥମ ଥର ପାଇଁ କୌଣସି ଏସପିଙ୍କୁ ଏଭଳି ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିବା ଦେଖିବାକୁ ମିଳିଛି।