ଗୁଆହାଟୀ ଗର୍ଜନ ସହ ବିରଳ ବିଜୟ: ମିଲରଙ୍କ ବିସ୍ଫୋରକ ଶତକ ସତ୍ତ୍ବେ ଭାରତ ୧୬ ରନ୍‌ରେ ବିଜୟୀ

‌ଗୁଆହାଟୀ,ଏଜେନ୍ସି: ଗୁଆହାଟୀରେ ରବିବାର ବର୍ଷାର ପୂର୍ବାନୁମାନ କରାଯାଇଥିଲା। କିନ୍ତୁ ରନ୍‌ ବର୍ଷା ଦେଖିବାକୁ ମିଳିଲା। ଭାରତ ଓ ଦକ୍ଷିଣ ଆଫ୍ରିକାର ଉଭୟ ପାଳିରୁ ୪୫୮ ରନ୍‌ ସଂଗୃହୀତ ହୋଇଥିଲା। ଏହା ମଧ୍ୟରେ ୬୫ ବାଉଣ୍ଡରି (ଭାରତ-୩୮, ଦକ୍ଷିଣ ଆଫ୍ରିକା ୨୭) ସାମିଲ ଥିଲା। ଭାରତର ଦଳଗତ ଲଢ଼େଇ ଆଗରେ କିନ୍ତୁ ଦକ୍ଷିଣ ଆଫ୍ରିକା ହାର ମାନିଯାଇଥିଲା। ଭାରତ ୨୩୭ ରନ୍‌ ସଂଗ୍ରହ କରିବା ପରେ ଡେଭିଡ୍ ମିଲର୍‌ (୪୭ ବଲ୍‌ରୁ ୧୦୬*)ଙ୍କ ଶତକ ସତ୍ତ୍ବେ ଦକ୍ଷିଣ ଆଫ୍ରିକା ୧୬ ରନ୍‌ରେ ହାରିଯାଇଥିଲା। ମିଲର୍ ଏବଂ କ୍ବିଣ୍ଟନ୍ ଡି’କକ୍ (୪୮ ବଲ୍‌ରୁ ୬୯* ରନ୍‌) ୧୩.୪ ଓଭରରୁ ୧୭୪* ରନ୍‌ ଭାଗୀଦାରି କରିଥିଲେ ମଧ୍ୟ ଭାରତ ହାତରୁ ବିଜୟ ଛଡାଇ ପାରିନଥିଲେ। ଭାରତ ମାଟିରେ ଦକ୍ଷିଣ ଆଫ୍ରିକା ପ୍ରଥମ ଥର ଟ୍ବେଣ୍ଟି-୨୦ ଶୃଙ୍ଖଳା ହାରିଥିବା ବେଳେ ରୋହିତ ଶର୍ମାଙ୍କ ଦଳ ଏକ ବହୁ ପ୍ରତୀକ୍ଷିତ ତଥା ବିରଳ ସଫଳତା ପାଇଥିଲା। ଦକ୍ଷିଣ ଆଫ୍ରିକାକୁ ଘରୋଇ ମାଟିରେ ପ୍ରଥମ ଥର ଏକ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ପରାସ୍ତ କରିଦେଲା। ଏଥି ସହିତ ୨୦୨୧ ବିଶ୍ବକପ୍‌ ପରଠାରୁ ନବମ ଦ୍ବିପାକ୍ଷିକ ଶୃଙ୍ଖଳାରୁ ଅଷ୍ଟମ ବିଜୟ ପାଇଗଲା। ୩ ମ୍ୟାଚ୍‌ ଶୃଙ୍ଖଳାରେ ଭାରତ ୨-ରେ ଅପରାଜିତ ଅଗ୍ରଣୀ ନେଇଗଲା। ମଙ୍ଗଳବାର ତୃତୀୟ ତଥା ଶେଷ ଟ୍ବେଣ୍ଟି-୨୦ ଇନ୍ଦୋରରେ ଖେଳାଯିବ।

ଦକ୍ଷିଣ ଆଫ୍ରିକା ଟସ୍ ଜିତିବା ପରେ ବ୍ୟାଟିଂ କରିଥିଲା। ଏକମାତ୍ର ପରିବର୍ତନ କରି ସ୍ପିନର୍‌ ତାବ୍ରାଇଜ୍ ସାମସୀଙ୍କ ବଦଳରେ ଲୁଙ୍ଗି ଏନ୍‌ଗିଡିଙ୍କୁ‌ ଖେଳାଇଥିଲା। ମେଘୁଆ ପାଗକୁ ଦେଖି ଦ୍ରୁତ ବୋଲିଂ ବିଭାଗକୁ ଅଧିକ ଦୃଢ଼ କରିଥିଲା। ଭାରତ କିନ୍ତୁ ତିରୁଅନନ୍ତପୁରମ୍‌ରେ ବିଜୟୀ ଦଳରେ କୌଣସି ପରିବର୍ତନ କରିନଥିଲା। ଭାରତୀୟ ଓପନିଂ ଯୋଡ଼ି କେଏଲ୍ ରାହୁଲ୍‌ ଓ ରୋହିତ ଶର୍ମା ପ୍ରଥମ ୱିକେଟ୍ ପାଇଁ ୯.୫ ଓଭରରେ ୯୬ ରନ୍‌ ଉଠାଇ ଦୃଢ଼ ମୂଳଦୁଆ ପକାଇଥିଲେ। ରୋହିତ ଶର୍ମା ୩୭ ବଲ୍‌ରୁ ୪୩ ଏବଂ କେଏଲ୍‌ ରାହୁଲ୍‌ ୨୮ ବଲ୍‌ରୁ ୫୭ କରିବା ପରେ ବିଦାୟ ନେଇଥିଲେ।

ଉଭୟଙ୍କୁ ସ୍ପିନର୍‌ କେଶବ ମହାରାଜ ଆଉଟ୍‌ କରିଥିଲେ। କିନ୍ତୁ ବିରାଟ କୋହଲି ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ଶତକୀୟ ଭାଗୀଦାରି (୪୨ ବଲ୍‌ରୁ ୧୦୨ ରନ୍) ଭାରତକୁ ବିଶାଳ ସ୍କୋର୍‌ ପ୍ରଦାନ କରିଥିଲା। ସୂର୍ଯ୍ୟ କୁମାର କ୍ରମାଗତ ତୃତୀୟ ଅର୍ଦ୍ଧଶତକ ହାସଲ କରିଥିଲେ। ସୂର୍ଯ୍ୟ ୧୮ ବଲ୍‌ରୁ ଏବଂ ରାହୁଲ ୨୪ ବଲ୍‌ରୁ ଅର୍ଦ୍ଧଶତକ ହାସଲ କରିବା ଭାରତକୁ ବଡ଼ ସ୍କୋର୍‌ ବାଟ ଫିଟାଇଥିଲା। ଶେଷ ଓଭରରେ ବ୍ୟାଟିଂ ସୁଯୋଗ ନପାଇ ବିରାଟ କୋହଲି ୨୮ ବଲ୍‌ରୁ ୪୯* ରନ୍‌ରେ ଅପରାଜିତ ରହି ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ। ଋଷଭ ପନ୍ତଙ୍କୁ ପଛରେ ପକାଇ ଆସିଥିବା ଦୀନେଶ କାର୍ତିକ ୨ ଛକା ମାରି ୭ ବଲ୍‌ରୁ ୧୭ ରନ୍‌ ସଂଗ୍ରହ କରିଥିଲେ। କେଏଲ୍‌ ରାହୁଲ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।