ମୋତେ ଛାଡ଼ପତ୍ର ଦେବାକୁ ମୋ ସ୍ୱାମୀଙ୍କୁ ଉସୁକାଉଛି ବିଜେପି : ସୁଜାତା ମଣ୍ଡଳ ଖାନ୍

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗର ରାଜନୈତିକ ଲଢ଼େଇ ଏବେ ପାରିବାରିକ କଳହରେ ପରିଣତ ହୋଇଯାଇଛି। ବିଜେପି ନେତା ସୌମିତ୍ର ଖାନଙ୍କ ପତ୍ନୀ ବିଜେପି ଉପରେ ଭେଦଭାବର ଆରୋପ ଲଗାଇ ତୃଣମୂଣ କଂଗ୍ରେସରେ ଯୋଗ ଦେଇଥିଲେ। ଆଉ ଏହାର କିଛି ଘଣ୍ଟା ପରେ ବିଜେପି ନେତା ସୌମିତ୍ର ଖାନ୍ ପତ୍ନୀ ସୁଜାତାଙ୍କୁ ଛାଡ଼ପତ୍ର ନୋଟିସ ପଠାଇଥିଲେ। ଏବେ ଛାଡ଼ପତ୍ର ମାମଲାରେ ସୁଜାତା ତାଙ୍କ ସ୍ୱାମୀ ଓ ବିଜେପିକୁ ସମାଲୋଚନା କରିଛନ୍ତି। ସୁଜାତା କହିଛନ୍ତି ଯେ, ‘ଯେଉଁ ପାର୍ଟି ତିନି ତଲାକ ପ୍ରଥାକୁ ଉଚ୍ଛେଦ କଲା ସିଏ ଏବେ ମୋତେ ଛାଡ଼ପତ୍ର ଦେବାପାଇଁ ମୋ ସ୍ୱାମୀଙ୍କୁ ଉସୁକାଉଛି।’

ସୁଜାତା ଆହୁରି କହିଛନ୍ତି ଯେ, ‘ରାଜନୀତି ଯେତେବେଳେ ବ୍ୟକ୍ତିଗତ ଜୀବନରେ ଆସଯିବ ତା’ର ପ୍ରଭାବ ତୁମ ସମ୍ପର୍କ ଉପରେ ପଡ଼ିବ। ସୌମିତ୍ର ବିଜେପିର ମନ୍ଦ ଲୋକଙ୍କ ସହ ଅଛନ୍ତି ଯିଏକି ତାଙ୍କୁ ମୋ ବିରୋଧରେ ଶିଖାଉଛନ୍ତି। ଯେଉଁ ପାର୍ଟି ତିନି ତଲାକର ଅନ୍ତ ଘଟାଇଲା ଆଜି ସେହି ପାର୍ଟିର ଲୋକ ହୋଇ ମୋ ସ୍ୱାମୀ ମୋତେ ଛାଡ଼ପତ୍ର ଦେଉଛନ୍ତି।’

ସୂଚନାଯୋଗ୍ୟ, ସୌମିତ୍ର ଓ ସୁଜାତାଙ୍କ ବିବାହ ୧୦ ବର୍ଷ ପୂର୍ବରୁ ହୋଇଥିଲା। କିନ୍ତୁ ରାଜନୈତିକ ଲଢ଼େଇର ପ୍ରଭାବ ଏବେ ତାଙ୍କ ବ୍ୟକ୍ତିଗତ ଜୀବନରେ ଦେଖିବାକୁ ମିଳିଛି।