ମା’ କୋଳରୁ ଭିଡ଼ି ଆଣି ୨ ବର୍ଷୀୟା ଶିଶୁକନ୍ୟାକୁ କଚାଡ଼ି ମାରିଦେଲା ମଦ୍ୟପ ବାପା

ଦେବଗଡ଼,ଏନ୍‌ଏନ୍‌ଏସ୍‌: ସ୍ୱାମୀ-ସ୍ତ୍ରୀଙ୍କ କଳହରେ ଜଣେ ନିଷ୍ପାପ ଶିଶୁ ଜୀବନ ହାରିଛି । ଏଭଳି ଏକ ଘଟଣା ତିଳେଇବଣି ବ୍ଲକ ଲଇମୁରା ଥାନା ଅନ୍ତର୍ଗତ ଲମ୍ବଡୁରା ଗ୍ରାମରେ ଘଟିଛି । ମିଳିଥିବା ରିପୋର୍ଟ ମୁତାବକ, ଲମ୍ବଡୁରା ଗ୍ରାମର ବିଜୁ କିସାନଙ୍କ ସହ ତାଙ୍କ ସ୍ତ୍ରୀ ଶକୁନ୍ତଳାର କୌଣସି କାରଣରୁ ମନ ମାଳିନ୍ୟ ଲାଗି ରହିଥିଲା । ସେଥିପାଇଁ ଶକୁନ୍ତଳା ତାଙ୍କ ବାପାଙ୍କ ଘରେ ରହୁଥିଲେ । ଗତକାଲି ଶକୁନ୍ତଳା ସ୍ୱାମୀଙ୍କ ଘରକୁ ଆଧାର କାର୍ଡ ନେବାକୁ ଆସିବାରୁ ଉଭୟଙ୍କ ମଧ୍ୟରେ ପୁଣି ଝଗଡ଼ା ହୋଇଥିଲା । ଆଜି ସକାଳେ ମଧ୍ୟ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏହି ସମୟରେ ଶକୁନ୍ତଳା ତାଙ୍କ ଶିଶୁକନ୍ୟା ନନ୍ଦିନୀକୁ ସ୍ତନପାନ କରାଉଥିବାବେଳେ ବିଜୁ ଉତ୍ତ୍ୟକ୍ତ ହୋଇ ମା’ କୋଳରୁ ତାକୁ ଭିଡ଼ି ଆଣି ଭୂଇଁରେ କଚାଡ଼ି ଦେଇଥିଲା । ଶିଶୁଟି ସଂଜ୍ଞାହୀନ ହୋଇ ପଡ଼ିବା ଦେଖି ମା’ ପଡ଼ୋଶୀଙ୍କ ସହାୟତାରେ ତାକୁ ଲଇମୁରା ଡାକ୍ତରଖାନାକୁ ନେଇଥିବାବେଳେ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ । ଡାକ୍ତରଖାନା କର୍ତ୍ତୃପକ୍ଷଙ୍କଠାରୁ ସୂଚନା ପାଇ ଲଇମୁରା ଥାନା ପୁଲିସ ଶିଶୁକନ୍ୟାର ମୃତଦେହ ଜବତ କରିଛି । ଏହାସହ ଏକ ହତ୍ୟା ମାମଲା ରୁଜୁ କରି ଏସଡିପିଓ ଅନିଲ ବେଉରିଆଙ୍କ ନେତୃତ୍ୱରେ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଏବେ ନିକଟସ୍ଥ ଏକ ଗ୍ରାମରୁ ପୁଲିସ ଅଭିଯୁକ୍ତ ବାପା ବିଜୁକୁ କାବୁ କରିବା ସହ ଅଟକ ରଖିଥିବା ସୂଚନା ମିଳିଛି ।