ନଭେମ୍ବର ୬ରେ ବିଜେଡିରେ ମିଶିବେ ପ୍ରଦୀପ ମାଝି, ଆଜି ଶଙ୍ଖ ଫୁଙ୍କିବେ ବିଶ୍ୱ ମଲ୍ଲିକ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: କଂଗ୍ରେସରୁ ଇସ୍ତଫା ଦେବା ପରେ ପ୍ରଦୀପ ମାଝି ବିଜେଡିରେ ମିଶିବେ ବୋଲି ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି। ତେବେ ସେ ଭୁବନେଶ୍ୱରରେ ନୁହେଁ ବରଂ ନବରଙ୍ଗପୁରଠାରେ ଦଳରେ ବିଧିବଦ୍ଧ ଭାବେ ସାମିଲ ହେବେ ବୋଲି ଜଣାପଡ଼ିଛି। ଆସନ୍ତା ନଭେମ୍ବର ୬ ତାରିଖରେ ନବରଙ୍ଗପୁର ଠାରେ ନିଜ ସମର୍ଥକଙ୍କ ସହ ଏକ ସ୍ୱତନ୍ତ୍ର ମିଶ୍ରଣ ପର୍ବରେ ବିଜେଡିରେ ଯୋଗଦେବେ ଦକ୍ଷିଣ ଓଡ଼ିଶାର ସବୁଠୁ ବଡ଼ ଆଦିବାସୀ ଚେହେରା ବୋଲାଉଥିବା ପ୍ରଦୀପ। କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ଲୋକଙ୍କୁ ଆଣି ଶକ୍ତି ପ୍ରଦର୍ଶନ କରିବାକୁ ପ୍ରଦୀପ ଏବଂ ତାଙ୍କର ପାଖ ଲୋକ ବର୍ତ୍ତମାନ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି।

ଅନ୍ୟପଟେ ବିଜେପିରୁ ନିକଟରେ ଇସ୍ତଫା ଦେଇଥିବା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ବରୀ ବିଧାୟକ ପ୍ରାର୍ଥୀ ବିଶ୍ୱରଞ୍ଜନ ମଲ୍ଲିକ ଶୁକ୍ରବାର ଶଙ୍ଖ ଫୁଙ୍କିବେ। ତାଙ୍କ ସହ ବରୀ ବ୍ଲକ ଅଧ୍ୟକ୍ଷା, ଉପାଧ୍ୟକ୍ଷ ଏବଂ ଜିଲ୍ଲା ପରିଷଦ ସଦସ୍ୟଙ୍କ ସମେତ ବିଭିନ୍ନ ପଞ୍ଚାୟତର ବହୁ ସରପଞ୍ଚ ଏବଂ ସମିତିସଭ୍ୟ ମଧ୍ୟ ବିଜେଡିରେ ସାମିଲ ହେବେ। ଏଥିପାଇଁ ଭୁବନେଶ୍ୱର ସ୍ଥିତ ବିଜୁ ଯୁବ ଜନତା ଦଳ କାର୍ଯ୍ୟାଳୟ ଠାରେ ସ୍ୱତନ୍ତ୍ର ମିଶ୍ରଣ ପର୍ବର ଆୟୋଜନ ହେବ।