ପାଟଣାଗଡ଼,ଏନ୍ଏନ୍ଏସ୍: ଆଗାମୀ ପଞ୍ଚାୟତ ନିର୍ବାଚନରେ ରାଜ୍ୟ ସରକାର ଆଦିବାସୀଙ୍କୁ ସଂରକ୍ଷଣ ବ୍ୟବସ୍ଥାରେ ବାଦ ଦେଇଥିବାରୁ ସମଗ୍ର ବଲାଙ୍ଗିର ଜିଲ୍ଲାରେ ଅସନ୍ତୋଷ ପ୍ରକାଶ ପାଇଛି। ଏହାର ପ୍ରତିବାଦରେ ଆଜି ପାଟଣାଗଡ଼ ବ୍ରହ୍ମପୁରାସ୍ଥିତ ଆଦିବାସୀ ଭବନଠାରୁ ପଶ୍ଚିମ ଓଡ଼ିଶା ଆଦିବାସୀ ମହାସଂଘର ମହାସଚିବ ନିରଞ୍ଜନ ବିଶିଙ୍କ ନେତୃତ୍ୱରେ ଶତାଧିକ ଆଦିବାସୀ ହାତରେ ପାରମ୍ପାରିକ ଅସ୍ତ୍ରଶସ୍ତ୍ର ଧରି ବ୍ଲକ କାର୍ଯ୍ୟାଳୟ ଅଭିମୁଖେ ବାହରିଥିଲେ। ଏହି ସମୟରେ ସରକାର ବିରୋଧୀ ନାରାବାଜି କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମନ୍ତ୍ରୀ ସୁୁଶାନ୍ତ ସିଂ, ଟୁକୁନି ସାହୁ ଓ ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ଦେଇଥିଲେ। ଶୋଭାଯାତ୍ରାରେ ମନ୍ତ୍ରୀ ସୁଶାନ୍ତ ସିଂଙ୍କ କୋକେଇ ଧରି ସହସ୍ରାଧିକ ମହିଳା ଓ ପୁରୁଷ ବ୍ଲକ କାର୍ଯ୍ୟାଳୟ ଯିବା ରାସ୍ତାରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମସ୍ତ ପୋଷ୍ଟର ଓ ବ୍ୟାନରକୁ ଚିରି ଫୋପାଡ଼ି ଦେଇଥିଲେ। ଏଥିସହିତ ବ୍ଲକ ପରିସରରେ ଥିବା ମୁଖ୍ୟମନ୍ତ୍ରୀଙ୍କ ସମସ୍ତ ଫଟୋ ଓ ବ୍ୟାନରକୁ ମଧ୍ୟ ଚିରି ଫୋପାଡ଼ି ଦେଇଥିଲେ। ଆଗାମୀ ଦିନରେ ସରକାର ଆଦିବାସୀଙ୍କ ଦାବୀକୁ ନ ମାନିଲେ ଭୟାବହ ପରିସ୍ଥିତି ସୃଷ୍ଟି କରାଯିବ ବୋଲି ଆନ୍ଦୋଳନକାରୀ କହିଛନ୍ତି। ପରେ ନବୀନ ପଟ୍ଟନାୟକ, ମନ୍ତ୍ରୀ ସୁଶାନ୍ତ ସିଂ, ଟୁକୁନି ସାହୁ, ବିଧାୟକ ସରୋଜ ମେହେରଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ। ସରକାରଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କ ମାଧ୍ୟମରେ ଏକ ଦାବୀପତ୍ର ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ପାଟଣାଗଡ଼ ବ୍ଲକ ସଭାପତି ଅଷ୍ଟରତ୍ନ ବରିହା, ବେଲପଡ଼ା ବ୍ଲକ ସଭାପତି ବସନ୍ତ ମାଝୀ, ଖପ୍ରାଖୋଲ ବ୍ଲକ ସଭାପତି ବିପ୍ର ବିଶି, ଆଦିବାସୀ ନେତା ପୁରୁଷୋତ୍ତମ ଧରୁଆ ଓ ରଘୁନାଥ ସିଂ ବରିହା ପ୍ରମୁଖଙ୍କ ସହ ଶତାଧିକ ଆଦିବସୀ ଯୋଗ ଦେଇଥିଲେ।