ପରମେଶ୍ୱର ମର୍ଡର ମିଷ୍ଟ୍ରି : ପ୍ରେମିକ ସହ ମିଶି ସ୍ୱାମୀକୁ କଲା ହତ୍ୟା

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଥାନା ଅନ୍ତର୍ଗତ ଲଇମୁରା ଫାଣ୍ଡି ଅଞ୍ଚଳରେ ଗତ ନଭେମ୍ବର ୧୭ ତାରିଖରେ ଉଦ୍ଧାର ହୋଇଥିବା ଉକ୍ତ ପରମେଶ୍ୱର ପାତ୍ରଙ୍କ ମୃତ୍ୟୁ ଉପରୁ ଦେବଗଡ଼ ଥାନା ପୁଲିସ ପରଦା ଉଠାଇଛି। ପରମେଶ୍ୱରଙ୍କ ସ୍ତ୍ରୀଙ୍କ ଅଭିଯୋଗ ଆଧାରରେ ଦେବଗଡ଼ ଥାନା ପୁଲିସ ପ୍ରଥମେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଆରମ୍ଭରୁ ପୁଲିସ ଏହି ମାମଲାର ପାରିପାର୍ଶ୍ୱିକ ସ୍ଥିତିକୁ ଦେଖି ହତ୍ୟାକାଣ୍ଡ ସନ୍ଦେହ କରୁଥିବାବେଳେ ଗ୍ରାମବାସୀ ଓ ମୃତକ ପରମେଶ୍ୱରଙ୍କ ଭାଉଜ ନେତ ପାତ୍ରଙ୍କ ଅଭିଯୋଗ ଆଧାରରେ ଏକ ହତ୍ୟା ଓ ଷଡଯନ୍ତ୍ର ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲେ। ପରେ ଏଥିରେ ମୃତକଙ୍କ ସ୍ତ୍ରୀ ମମତା ଓ ଉକ୍ତ ଗ୍ରାମର ମମତାଙ୍କ ପ୍ରେମିକର ସମ୍ପୃକ୍ତି ଥିବା ଜାଣିବାକୁ ପାଇବା ପରେ ଗତକାଲି ମମତାକୁ ଗିରଫ କରିଥିବାବେଳେ ଅଭିଯୁକ୍ତ ହତ୍ୟାକାରୀ ପ୍ରେମିକ ଫେରାର ଥିବା ଜଣାପଡ଼ିଛି।

ପୁଲିସ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ଲଇମୁରା ଗ୍ରାମର ପରମେଶ୍ୱର ୧୮ ବର୍ଷ ପୂର୍ବେ ସମ୍ବଲପୁର ଜିଲ୍ଲା ମହୁଲପାଲି ଥାନା ଅନ୍ତର୍ଗତ ତାନମୁରା ଗ୍ରାମର ରାମ ପାତ୍ରଙ୍କ ଝିଅ ମମତାଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ପରମେଶ୍ୱର ଛେଳି ବ୍ୟବସାୟ କରୁଥିବାବେଳେ ସେମାନଙ୍କର ୨ଟି ସନ୍ତାନ ରହିଛନ୍ତି। ୨ ସନ୍ତାନ ନିଜ ମାମୁଁ ଘରେ ରହି ପାଠ ପଢୁଥିବାବେଳେ ଗାଁରେ ଉଭୟ ସ୍ୱାମୀ ସ୍ତ୍ରୀ ରୁହନ୍ତି। ହେଲେ ୨ବର୍ଷ ପୂର୍ବେ ଉକ୍ତ ଗ୍ରାମର ଡିଲେଶ୍ୱର ହେନବାଗା ନାମକ ଜଣେ ଅବିବାହିତ ଟ୍ରକ ଚାଳକ କିଛି ଛେଳି ପରମେଶ୍ୱରଙ୍କ ଘରେ ରଖିଥିଲା। ସେବେଠୁ ପରମେଶ୍ୱରଙ୍କ ଘରକୁ ଡିଲେଶ୍ୱର ଯିବା ଆସିବା କରିବା ସହ ପରମେଶ୍ୱରଙ୍କ ସ୍ତ୍ରୀ ମମତା ସହ ପ୍ରେମ ସମ୍ପର୍କ ରଖିଥିଲା। ଆଉ ପରମେଶ୍ୱରଙ୍କ ଅନୁପସ୍ଥିତିରେ ରାତ୍ରିଯାପନ ମଧ୍ୟ କରୁଥିଲା। ଏହାକୁ ପରିବାର ଲୋକ ବିରୋଧ କରୁଥିଲେ ମଧ୍ୟ ଉଭୟେ ଭ୍ରୁକ୍ଷେପ କରୁନଥିଲେ। ଗତ ନଭେମ୍ବର ୧୫ ତାରିଖରେ ଡିଲେଶ୍ୱର ନିକଟସ୍ଥ ଚକଡ଼ିହ ଗ୍ରାମକୁ ଫୁଟବଲ ମ୍ୟାଚ ଦେଖିବା ବାହାନାରେ ଏକ ବାଇକରେ ପରମେଶ୍ୱରକୁ ସାଙ୍ଗରେ ନେଇ ଏକ ଅଜଣା ସ୍ଥାନରେ ପଥରରେ ଛେଚି ହତ୍ୟା କରିବା ସହ ଗାଁଠାରୁ ୨କିମି ଦୂର ଏକ ଜଙ୍ଗଲ କଡ଼ରେ ଥିବା ଚାଷ ଜମିରେ ମୃତଦେହ ଫିଙ୍ଗି ଦେଇ ଚାଲି ଆସିଥିଲା । ନଭେମ୍ବର ୧୭ରେ ପରମେଶ୍ୱରଙ୍କୁ ମୃତ ଦେଖି ଗ୍ରାମବାସୀମାନେ ପୁଲିସକୁ ସୂଚନା ଦେଇଥିଲେ। ତଦନ୍ତ ସମୟରେ ପଚରାଉଚୁରା ବେଳେ ମୃତ ପରମେଶ୍ୱରଙ୍କ ସ୍ତ୍ରୀ ମମତା ହତ୍ୟାକାଣ୍ଡ ସମ୍ପର୍କରେ ସ୍ୱୀକାର କରିବା ସହ ପୁଲିସ ଆଗରେ ହତ୍ୟାକାଣ୍ଡର ଡେମୋ ଦେଖାଇଥିଲେ। ପୁଲିସ ହତ୍ୟାକାଣ୍ଡରେ ବ୍ୟବହୃତ ପଥର ଓ ମୃତଦେହ ଘୋଡ଼ାଇ ଥିବା ପଲିଥିନ ଆଦି ଜବତ କରିବା ସହ ହତ୍ୟାକାରୀ ସ୍ତ୍ରୀ ମମତାକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ଏସପି ରାଜକିଶୋର ପାଇକରାୟ ସୂଚନା ଦେଇଛନ୍ତି।