ଶ୍ରୀନଗର,ଏଜେନ୍ସି: ପୁଣି ସୀମାରେ ଫୁଟିଲା ଗୁଳି। ଜମ୍ମୁକଶ୍ମୀର ଅନନ୍ତନାଗ ମୁମାନହାଲ ଅରୱାନୀ ଅଞ୍ଚଳରେ ଏନକାଉଣ୍ଟରରେ ସୁରକ୍ଷାବାହିନୀକୁ ସଫଳତା। ପୁଣି ଜଣେ ଆତଙ୍କୀଙ୍କୁ ନିପାତ କରିବାରେ ସଫଳ ହୋଇଛି ସୁରକ୍ଷାବାହିନୀ। ସକାଳୁ ଅନନ୍ତନାଗ ଅଞ୍ଚଳରେ ଜାରି ଥିବା ସର୍ଚ୍ଚ ଅପରେସନ ବେଳେ ସୁରକ୍ଷାକର୍ମୀ-ଆତଙ୍କୀ ମୁହାଁମୁହିଁ ହୋଇଥିଲେ। ଏଥିରେ ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିବାବେଳେ ଜଣେ ଆତଙ୍କୀଙ୍କୁ ନିପାତ କରିଛି ସୁରକ୍ଷାବଳୟ। ଏନେଇ କଶ୍ମୀର ଜୋନ ପୁଲିସ ପକ୍ଷରୁ ସୂଚନା ମିଳିଛି।
ସ୍ଥାନୀୟ ଅଞ୍ଚଳରେ ଆତଙ୍କୀ ଲଚିଥିବା ନେଇ ସୂଚନା ପାଇଥିଲେ। ଏହାପରେ କଶ୍ମୀର ପୋଲିସ, ସେନା ଓ ସିଆରପିଏଫର ମିଳିତ ଉଦ୍ୟମରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ଖୁବ ଶୀଘ୍ର ଆତଙ୍କୀଙ୍କୁ ଠାବ କରି ନେଇଥିଲେ ସୁରକ୍ଷାବାହିନୀ । ଉଭୟ ପକ୍ଷରୁ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ଏଥିରେ ଜଣେ ଆତଙ୍କୀ ନିପାତ ହୋଇଛି। ମୃତ ଆତଙ୍କବାଦର ପରିଚୟ ମିଳି ପାରିନାହିଁ। ଘଟଣାସ୍ଥଳରେ ଏକ-୪୭, ଗୁଳିଗୋଳା ଓ ଅସ୍ତ୍ରଶସ୍ତ୍ର ଜବତ କରିଛି ସୁରକ୍ଷାବାହିନୀ। ଘେରା ବନ୍ଦୀ କରି ପୋଲିସ ଓ ଯବାନଙ୍କ ତଲାସି ଅଭିଯାନ ଜାରି।
ପ୍ରକାଶ ଥାଉ କି ଦୁଇମାସ ଭିତରେ ଅନେକ ଆତଙ୍କୀଙ୍କ ଯୋଜନାକୁ ପଣ୍ଡ କରିବାରେ ସଫଳ ହୋଇଛି ସୁରକ୍ଷାବାହିନୀ। କେବଳ ଡିସେମ୍ବର ମାସରେ ୧୦ରୁ ଅଧିକ ଆତଙ୍କୀକୁ ନିପାତ କରିଛି ସୁରକ୍ଷାବଳୟ। ଡିସେମ୍ବର ୧୫ରେ କୁଲଗାମ ଜିଲ୍ଲାର ରେଡୱାନି ବାଲା ଅଞ୍ଚଳରେ ଦୁଇ ଆତଙ୍କୀଙ୍କୁ ନିପାତ କରିଥିଲେ ସୁରକ୍ଷାକର୍ମୀ।