୨୦୨୧ ଏଫ୍‌ଆଇଏଚ୍ ର‌୍ୟାଙ୍କିଙ୍ଗ୍‌ରେ ଭାରତ; ପୁରୁଷ ଟିମ୍‌ର ସର୍ବଶ୍ରେଷ୍ଠ ପ୍ରଦର୍ଶନ, ୯ରେ ମହିଳା

ଲୌସେନ୍‌,ଏଜେନ୍ସି: ଚଳିତ ୨୦୨୧ ସିଜନ୍‌ରେ ଆଉ କୌଣସି ମ୍ୟାଚ୍ ଖେଳାଯିବାକୁ ବାକି ନାହିଁ। ଅର୍ଥାତ୍ ଚଳିତ ବର୍ଷ ପାଇଁ ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍‌)ର ସମସ୍ତ ଇଭେଣ୍ଟ୍ ଶେଷ ହୋଇଛି। ଏଥିରେ ଭାରତୀୟ ପୁରୁଷ ଓ ମହିଳା ଦଳ ଯଥାକ୍ରମେ ୩ୟ ଓ ନବମ ସ୍ଥାନରେ ରହିଛନ୍ତି। ଗୋଟିଏ ପଟେ ପୁରୁଷ ଦଳ ଅଦ୍ୟାବଧି ସବୁଠାରୁ ଶ୍ରେଷ୍ଠ ପ୍ରଦର୍ଶନ ପୂର୍ବକ ତୃତୀୟ ସ୍ଥାନରେ ରହିଥିବା ବେଳେ ଅନ୍ୟପଟେ ଗତ ଟୋକିଓ ଅଲିମ୍ପିକ୍ସରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ ହେଁ ପଦକରୁ ବଞ୍ଚିତ ହୋଇଥିବା ମହିଳା ହକି ଦଳ ନବମ ସ୍ଥାନକୁ ଖସିଯାଇଛି।

ଗୁରୁବାର ଏଫ୍‌ଆଇଏଚ୍ ପକ୍ଷରୁ ପ୍ରକାଶିତ ର‌୍ୟାଙ୍କିଙ୍ଗ୍‌ରେ ମନପ୍ରୀତ୍ ସିଂହଙ୍କ ନେତୃତ୍ୱାଧୀନ ଭାରତୀୟ ପୁରୁଷ ଦଳ ସର୍ବଶ୍ରେଷ୍ଠ ସ୍ଥାନ ହାସଲ କରିବା ପଛରେ ଗତ ଟୋକିଓ ଅଲିମ୍ପିକ୍ସରେ ଐତିହାସିକ ବ୍ରୋଞ୍ଜ୍ ପଦକର ସବୁଠାରୁ ବଡ଼ ଭୂମିକା ରହିଛି। ଏହି ଟିମ୍ ତୃତୀୟ ସ୍ଥାନରେ ରହି ଦୀର୍ଘ ୪୧ ବର୍ଷ ପରେ ଭାରତ ପାଇଁ ପଦକ ଜିତିବାରେ ସକ୍ଷମ ହୋଇଥିଲା। ସେହିପରି ନିକଟରେ ଢାକାଠାରେ ଶେଷ ହୋଇଥିବା ଏସିଆନ୍ ଚାମ୍ପିଅନ୍ସ ଟ୍ରଫିରେ ଭାରତ ପାକିସ୍ତାନକୁ ହରାଇ ତୃତୀୟ ସ୍ଥାନରେ ରହିଥିବା ବେଳେ ଚଳିତ ବର୍ଷ ଦଳ ୨୨୯୬.୦୩୮ ପଏଣ୍ଟ୍ ଅର୍ଜନ କରିଛି। ଅଲିମ୍ପିକ୍ସ ଚାମ୍ପିଅନ୍ ବେଲଜିୟମ୍ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଅଷ୍ଟ୍ରେଲିଆ ଏକ ନମ୍ବରରେ ରହିଛି। ବେଲଜିୟମ୍ ଟିମ୍ ଏଫ୍‌ଆଇଏଚ୍ ପ୍ରୋ ଲିଗ୍‌ରେ ନେଦରଲାଣ୍ଡ୍‌ସଠାରୁ ପରାସ୍ତ ହେବା ଫଳରେ ଏହାର ଫାଇଦା ନେଇ ଅଷ୍ଟ୍ରେଲିଆ ଏକ ନମ୍ବରରେ ରହି ସିଜନ୍ ଶେଷ କରିଛି।

ଅଷ୍ଟ୍ରେଲିଆର ୨୬୪୨.୨୫ ପଏଣ୍ଟ୍ ରହିଥିବା ବେଳେ ବେଲଜିୟମ୍ ଏହାଠାରୁ ୧୦ ପଏଣ୍ଟ୍ କମ୍ ଅର୍ଥାତ୍ ୨୬୩୨.୧୨ ପଏଣ୍ଟ୍ ପାଇଛି। ଏହାଛଡ଼ା ଚତୁର୍ଥ ସ୍ଥାନରେ ଥିବା ନେଦରଲାଣ୍ଡ୍‌ସର ପଏଣ୍ଟ୍ ସଂଖ୍ୟା ୨୨୩୪.୩୩ ଓ ପଞ୍ଚମରେ ଥିବା ଜର୍ମାନୀର ପଏଣ୍ଟ୍ ସଂଖ୍ୟା ୨୦୩୮.୭୧ ଥିବା ଏଫ୍‌ଆଇଏଚ୍ ପକ୍ଷରୁ ଜାରି ବିଜ୍ଞପ୍ତିରୁ ସ୍ପଷ୍ଟ ହୋଇଛି। ସେହିପରି ଶୀର୍ଷ ୧୦ ସୂଚୀରେ ଷଷ୍ଠରୁ ଦଶମ ମଧ୍ୟରେ ଥିବା ଇଂଲଣ୍ଡ ୧୯୯.୬୨, ଆର୍ଜେଣ୍ଟିନା ୧୮୨୬.୧୧, ନ୍ୟୁଜିଲାଣ୍ଡ୍ ୧୫୯୮.୨୪, ସ୍ପେନ୍ ୧୫୩୨.୩୩ ଓ ମାଲେସିଆ ୧୪୨୭.୧୮ ପଏଣ୍ଟ୍ ଅର୍ଜନ କରିଛି।

ଅନ୍ୟପକ୍ଷରେ ମହିଳା ବର୍ଗରେ ୧୮୧୦.୩୨ ପଏଣ୍ଟ୍ ପାଇଥିବା ଭାରତ ନବମ ସ୍ଥାନକୁ ଖସିଆଯାଇଛି। ଏହି ଦଳ ଗତ ଟୋକିଓ ଅଲିମ୍ପିକ୍ସରେ ଚତୁର୍ଥ ସ୍ଥାନରେ ରହି ପଦକରୁ ବଞ୍ଚିତ ହୋଇଥିଲା। ଏହି ବର୍ଗରେ ନେଦରଲାଣ୍ଡ୍‌ସ ଟିମ୍ ଶୀର୍ଷରେ ରହିଛି। ଦଳର ପଏଣ୍ଟ୍ ସଂଖ୍ୟା ୩୦୧୫.୩୫ ରହିଛି ଓ ଏହା ଦ୍ୱିତୀୟ ସ୍ଥାନରେ ଥିବା ଇଂଲଣ୍ଡଠାରୁ ୬ ଶହରୁ ଊର୍ଦ୍ଧ୍ୱ ପଏଣ୍ଟ୍‌ରେ ଆଗୁଆ ରହିଛି। ୨୩୭୫.୭୮ ପଏଣ୍ଟ୍ ସହ ଇଂଲଣ୍ଡ ଦ୍ୱିତୀୟରେ ରହିଥିବା ବେଳେ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିବା ଆର୍ଜେଣ୍ଟିନା ୨୩୬୧.୨୮ ପଏଣ୍ଟ୍ ସହ ତୃତୀୟ ସ୍ଥାନରେ ରହି ୨୦୨୧ ସିଜନ୍ ଶେଷ କରିଛି।

ସେହିପରି ୨୩୩୪.୦୪ ପଏଣ୍ଟ୍ ପାଇଥିବା ଅଷ୍ଟ୍ରେଲିଆ ଚତୁର୍ଥରେ, ୨୧୨୬.୧୫ ପଏଣ୍ଟ୍ ସହ ଜର୍ମାନୀ ପଞ୍ଚମରେ ଓ ୧୯୫୯.୬୨ ପଏଣ୍ଟ୍ ସହ ସ୍ପେନ୍ ଷଷ୍ଠ ସ୍ଥାନରେ ଥିବା ବେଳେ ୧୯୩୯.୮୮ ପଏଣ୍ଟ୍ ପାଇଥିବା ବେଲଜିୟମ୍ ସପ୍ତମରେ, ୧୮୨୧.୧୧ ପଏଣ୍ଟ୍ ସହ ନ୍ୟୁଜିଲାଣ୍ଡ୍ ଅଷ୍ଟମରେ ରହିଛନ୍ତି। ଏହାଛଡ଼ା ଭାରତ ପଛରେ ଚୀନ୍ ୧୬୭୭.୯୬ ପଏଣ୍ଟ୍ ସହ ଶୀର୍ଷ ୧୦ ଦଳ ଭିତରେ ସବା ଶେଷ ସ୍ଥାନରେ ରହିଛି।