ଚରଣ ସିଂହଙ୍କୁ ଭାରତରତ୍ନ ପ୍ରଦାନ ପାଇଁ ଅଖିଳେଶଙ୍କ ଦାବି

ନୂଆଦିଲ୍ଲୀ,ଏଜେନ୍ସି: ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହଙ୍କୁ ଭାରତ ରତ୍ନ ପ୍ରଦାନ ପାଇଁ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ ଗୁରୁବାର ଦାବି କରିଛନ୍ତି। ଚରଣ ସିଂହଙ୍କ ୧୧୯ ତମ ଜନ୍ମବାର୍ଷିକରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଅବସରରେ ଅଖିଳେଶ ଏହି ଦାବି ଉଠାଇଛନ୍ତି। ଟ୍ୱିଟ୍ କରି ଅଖିଳେଶ ଲେଖିଛନ୍ତି, କୃଷକ ଓ ଦେଶ ପାଇଁ ଜୀବନ ଉତ୍ସର୍ଗ କରିଥିବା ଚରଣ ସିଂହଙ୍କୁ ଭାରତ ରତ୍ନରେ ସମ୍ମାନିତ କରିବା ନିମନ୍ତେ ଜାତୀୟ କୃଷକ ଦିବସ ଅବସରରେ ମୁଁ ଦୃଢ଼ ଭାବେ ଦାବି କରୁଛି।

ନିଜ କାର୍ଯ୍ୟ ପାଇଁ ଭାରତର କୃଷକମାନଙ୍କ ଚାମ୍ପିଅନ୍ କୁହାଯାଉଥିବା ଚରଣ ସିଂହଙ୍କ ଜନ୍ମଦିନକୁ ଜାତୀୟ କୃଷକ ଦିବସ ଭାବେ ପାଳନ କରାଯାଇଥାଏ। ଆସନ୍ତାବର୍ଷ ହେବାକୁ ଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ସ୍ୱର୍ଗତ ସିଂହଙ୍କ ନାତି ଜୟନ୍ତ ଚୌଧୁରୀଙ୍କ ନେତୃତ୍ୱାଧୀନ ରାଷ୍ଟ୍ରୀୟ ଲୋକ ଦଳ (ଆର୍‌ଏଲ୍‌ଡି) ସହ ଅଖିଳେଶ ମେଣ୍ଟ କରିଛନ୍ତି।