ଦହିୟା ଲକ୍ଷ୍ନୌ ଫ୍ରାଞ୍ଚାଇଜ୍ ସହାୟକ କୋଚ୍‌

କୋଲ୍‌କାତା,ଏଜେନ୍ସି: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍‌) ୨୦୨୨ ପୂର୍ବରୁ ଲକ୍ଷ୍ନୌ ଫ୍ରାଞ୍ଚାଇଜ୍ ଜୋର୍‌ଶୋର୍‌ରେ ପ୍ରସ୍ତୁତି ଚଳାଇଛି । ଏହି କ୍ରମରେ ଫ୍ରାଞ୍ଚାଇଜ୍ ବୁଧବାର ପୂର୍ବତନ ଭାରତୀୟ ୱିକେଟ୍‌କିପର୍ ବ୍ୟାଟ୍ସମ୍ୟାନ୍ ବିଜୟ ଦହିୟାଙ୍କୁ ଟିମ୍‌ର ସହାୟକ କୋଚ୍ ନିଯୁକ୍ତ କରିଛି । ହରିୟାଣାର ୪୮ ବର୍ଷୀୟ ଦହିୟା ବର୍ତ୍ତମାନ ଉତ୍ତର ପ୍ରଦେଶ ରାଜ୍ୟ ଟିମ୍‌ର କୋଚ୍ ଅଛନ୍ତି । ଏହା ପୂର୍ବରୁ ଦହିୟା ଦୁଇ ଥରର ଆଇପିଏଲ୍ ଚାମ୍ପିଅନ୍ କୋଲ୍‌କାତା ନାଇଟ୍ ରାଇଡର୍ସ (କେକେଆର୍‌)ର ସହାୟକ କୋଚ୍ ଭାବେ କାର୍ଯ୍ୟ ମଧ୍ୟ କରିଛନ୍ତି ।

ଏହା ସହିତ ଦିଲ୍ଲୀ ରଣଜୀ ଟିମ୍‌କୁ କୋଚିଂ ଦେବା ସହିତ ଦିଲ୍ଲୀ କ୍ୟାପିଟାଲ୍‌ସର ପ୍ରତିଭା ଚିହ୍ନଟ ପାଇଁ ‘ଟ୍ୟାଲେଣ୍ଟ୍ ସ୍କାଉଟ୍‌’ ରୂପେ କାର୍ଯ୍ୟ ମଧ୍ୟ କରିଥିଲେ । ଭାରତ ପକ୍ଷରୁ ଦୁଇଟି ଟେଷ୍ଟ ଓ ୧୯ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିବା ଦହିୟା ଏକ ବୟାନରେ କହିଛନ୍ତି, ‘ଲକ୍ଷ୍ନୌ ଫ୍ରାଞ୍ଚାଇଜ୍ ସହ କାମ କରିବା ପାଇଁ ମିଳିଥିବା ସୁଯୋଗ ଯୋଗୁଁ ଖୁସି ଏବଂ ଏଥିପାଇଁ ଫ୍ରାଞ୍ଚାଇଜ୍ ମ୍ୟାନେଜମେଣ୍ଟକୁ ଧନ୍ୟବାଦ । ଆର୍‌ପିଏସ୍‌ଜି ଗ୍ରୁପ୍ ମାଲିକାନାରେ ଥିବା ଲକ୍ଷ୍ନୌ ଫ୍ରାଞ୍ଚାଇଜ୍ ପୂର୍ବରୁ ଜିମ୍ବାୱେର ପୂର୍ବତନ ଅଧିନାୟକ ଆଣ୍ଡି ଫ୍ଲାୱାର୍‌ଙ୍କୁ ଟିମ୍‌ର ମୁଖ୍ୟ କୋଚ୍ ଓ ଗୌତମ ଗମ୍ଭୀରଙ୍କୁ ମେଣ୍ଟର୍ ଭାବେ ନିଯୁକ୍ତ କରିସାରିଛି ।