ଗୋଆ,ଏଜେନ୍ସି: ହିରୋ ଇଣ୍ଡିଆନ୍ ସୁପର୍ ଲିଗ୍ (ଆଇଏସ୍ଏଲ୍) ଆୟୋଜକ ଫୁଟ୍ବଲ୍ ସ୍ପୋର୍ଟ୍ସ ଡେଭେଲପ୍ମେଣ୍ଟ୍ ଲିମିଟେଡ୍ (ଏଫ୍ଏସ୍ଡିଏଲ୍) ମଙ୍ଗଳବାର ଚଳିତ ଆଇଏସ୍ଏଲ୍ ୨୦୨୧-୨୨ ସିଜନ୍ର ଦ୍ୱିତୀୟାର୍ଦ୍ଧ କାର୍ଯ୍ୟସୂଚୀ ଘୋଷଣା କରିଛି। ଦ୍ୱିତୀୟାର୍ଦ୍ଧରେ ଖେଳାଯିବାକୁ ଥିବା ଅନ୍ତିମ ୧୧ ରାଉଣ୍ଡ୍ର ମ୍ୟାଚ୍ ଆସନ୍ତାବର୍ଷ ଜାନୁଆରୀ ୧୦ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୫ ତାରିଖ ପର୍ଯ୍ୟନ୍ତ ୫୫ ଦିନ ଧରି ଚାଲିବ। ଚଳିତ ସିଜନ୍ର ବର୍ତ୍ତମାନ ପର୍ଯ୍ୟନ୍ତ ଖେଳାଯାଇଥିବା ମ୍ୟାଚ୍ଗୁଡ଼ିକ ହାଇସ୍କୋରିଂ ହୋଇଥିବା ବେଳେ ଦର୍ଶକଙ୍କୁ ମୋହିତ କରିବାରେ ସମର୍ଥ ହୋଇଛି।
ବହୁ ଟିମ୍ ବିଜୟ ସହ ଲିଗ୍ର ଶୀର୍ଷ ୪ରେ ସ୍ଥାନ ହାସଲ କରି ଫାଇନାଲ୍ରେ ପହଞ୍ଚିବା ଦୌଡ଼ରେ ରହିଛନ୍ତି। ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ସିଟି ଏଫ୍ସି ବର୍ତ୍ତମାନ ସୁଦ୍ଧା ଲିଗ୍ ଲିଡର୍ ଥିବାବେଳେ ଜାମଶେଦପୁର ଏଫ୍ସି ଓ ହାଇଦ୍ରାବାଦ ପ୍ରଥମ ଥର ପାଇଁ ସେମିଫାଇନାଲ୍ ସ୍ଥାନ ପାଇଁ ସଂଘର୍ଷ ଚଳାଇଛନ୍ତି। ସେହିପରି ଦୁଇଥରର ବିଜେତା ଚେନ୍ନାୟିନ୍ ଏଫ୍ସି ମଧ୍ୟ ସେମିଫାଇନାଲ୍ ସ୍ଥାନ ପାଇଁ ଉଦ୍ୟମ ଜାରି ରଖିଛି। ଟୁର୍ଣ୍ଣାମେଣ୍ଟର ଶୀର୍ଷ ଏବଂ ନିମ୍ନ ସ୍ଥାନରେ ଥିବା ଟିମ୍ ମଧ୍ୟରେ ୮ ପଏଣ୍ଟର ବ୍ୟବଧାନ ରହିଥିବା ବେଳେ ଫଳାଫଳରେ ପରିବର୍ତ୍ତନ ପାଇଁ ଟିମ୍ଗୁଡ଼ିକ ନିକଟରେ ବହୁ ସୁଯୋଗ ରହିଛି। ଅନ୍ୟପକ୍ଷରେ ଜାନୁଆରୀ ମଧ୍ୟରେ ଟ୍ରାନ୍ସଫର୍ ମାର୍କେଟ୍ ଖୋଲା ରହିଥିବାରୁ ଲିଗ୍ ଶିଲ୍ଡ ଓ ଟାଇଟଲ୍ ଜିତିବା ନିମନ୍ତେ ସେମାନଙ୍କ ସହ ଅଧିକ ଶକ୍ତିଶାଳୀ ଖେଳାଳିଙ୍କୁ ସାମିଲ କରିବା ପାଇଁ କ୍ଲବ୍ଗୁଡ଼ିକ ନିକଟରେ ସୁଯୋଗ ରହିଛି।
ଏହି କାର୍ଯ୍ୟକ୍ରମ ଅନୁସାରେ ଦ୍ୱିତୀୟାର୍ଦ୍ଧର କୋଲ୍କାତା ଡର୍ବିରେ ଏଟିକୋ ମୋହନ ବାଗାନ ଓ ଏସ୍ସି ଇଷ୍ଟ ବେଙ୍ଗଲ୍ ମ୍ୟାଚ୍ ଜାନୁଆରୀ ୨୯ ତାରିଖରେ ଫତୋର୍ଡାର ପିଜେଏନ୍ ଷ୍ଟାଡିୟମ୍ରେ ଖେଳାଯିବ। ଲିଗ୍ ପର୍ଯ୍ୟାୟର ଅନ୍ତିମ ମ୍ୟାଚ୍ ଏଫ୍ସି ଗୋଆ ଓ କେରଳ ବ୍ଲାଷ୍ଟର୍ସ ଏଫ୍ସି ମଧ୍ୟରେ ମାର୍ଚ୍ଚ ୫ ତାରିଖରେ ବାମ୍ବୋଲିନ୍ର ଆଥ୍ଲେଟିକ୍ ଷ୍ଟାଡିୟମ୍ରେ ଖେଳାଯିବ।
ସେହିପରି ଏହି ଅର୍ଦ୍ଧରେ ଓଡ଼ିଶା ଏଫ୍ସି ଜାନୁଆରୀ ୧୨ରେ କେରଳ ବ୍ଲାର୍ଷ୍ଟସ ଏଫ୍ସି ବିପକ୍ଷରେ ତା’ର ଅଭିଯାନ ଆରମ୍ଭ କରିବ। ପରେ ୧୮ ଜାନୁଆରୀରେ ନର୍ଥ-ଇଷ୍ଟ ୟୁନାଟେଡ୍, ୨୭ରେ ହାଇଦ୍ରାବାଦ ଏଫ୍ସି, ଫେବୃଆରୀ ୧ରେ ଏଫ୍ସି ଗୋଆ, ୭ରେ ଏସ୍ସି ଇଷ୍ଟ ବେଙ୍ଗଲ, ୧୩ରେ ଏଟିକୋ ମୋହନ ବାଗାନ ବିପକ୍ଷରେ ଖେଳିବ। ସେହିପରି ଫେବୃଆରୀ ୧୭ରେ ବେଙ୍ଗାଲୁରୁ ଏଫ୍ସି, ୨୨ରେ ଜାମଶେଦପୁର ଏଫ୍ସି, ୨୬ରେ ଚେନ୍ନାୟିନ୍ ଏଫ୍ସି ଏବଂ ମାର୍ଚ୍ଚ ୨ ତାରିଖରେ ମୁମ୍ବାଇ ସିଟି ଏଫ୍ସିକୁ ଭେଟିବ।