ଲୋବ୍‌ଜଙ୍ଗ ତେନ୍‌ଜିଙ୍ଗ୍ ଭାରତୀୟ ଅଣ୍ଡର-୧୯ ଟିମ୍ ମ୍ୟାନେଜର

ନୂଆଦିଲ୍ଲୀ,ଏଜେନ୍ସି: ସିକ୍କିମ୍ କ୍ରିକେଟ୍ ସଂଘ ସଭାପତି ଲୋବ୍‌ଜଙ୍ଗ ତେନ୍‌ଜିଙ୍ଗ୍‌ଙ୍କୁ ବିସିସିଆଇ ଆଗାମୀ ଅଣ୍ଡର-୧୯ ଏସିଆ କପ୍ ଓ ବିଶ୍ୱକପ୍ ପାଇଁ ଭାରତୀୟ ଦଳର ମ୍ୟାନେଜର ନିଯୁକ୍ତ କରିଛି। ଅଧିନାୟକ ୟଶ୍ ଧୁଲ୍ ଓ କୋଚ୍ ହୃଷୀକେଶ କାନିତକରଙ୍କ ନେତୃତ୍ୱରେ ଭାରତୀୟ ଡିସେମ୍ବର ୨୩ରୁ ୟୁଏଇରେ ହେବାକୁ ଥିବା ଅଣ୍ଡର-୧୯ ଏସିଆ କପ୍‌ରେ ଭାଗନେବ। ଏହାର ତୁରନ୍ତ ପରେ ଦଳ ୱେଷ୍ଟଇଣ୍ଡିଜ୍‌ରେ ଆସନ୍ତା ବର୍ଷ ଜାନୁଆରୀ ୧୪ ତାରିଖରୁ ଆରମ୍ଭ ହେବାକୁ ଥିବା ଅଣ୍ଡର-୧୯ ବିଶ୍ୱକପ୍ ପାଇଁ ଯାତ୍ରା କରିବ।

ଏହି ନିଯୁକ୍ତିରେ ତେନ୍‌ଜିଙ୍ଗ୍ ଖୁସି ପ୍ରକାଶ କରି କହିଛନ୍ତି, ଭାରତର ଆଗାମୀ କ୍ରିକେଟ୍ ଷ୍ଟାର୍‌ଙ୍କ ସହ କାମ କରିବା ମୋ ପାଇଁ ଏକ ସମ୍ମାନ। ଏପରି ଏକ ସମ୍ମାନ ଏବଂ ଦାୟିତ୍ୱ ପ୍ରଦାନ କରିଥିବାରୁ ସେ ବିସିସିଆଇ ସମ୍ପାଦକ ଜୟ ଶାହଙ୍କୁ ଧନ୍ୟବାଦ ଜଣାଇଛନ୍ତି। ବିସିସିରେ ଯୋଗଦେବା ପରଠାରୁ ତେନ୍‌ଜିଙ୍ଗ୍ ସିକ୍କିମ୍ କ୍ରିକେଟ୍ ସଂଘ ମୁଖ୍ୟ ଭାବେ ରହି ଆସିଛନ୍ତି। ସେହିପରି ସିକ୍କିମ୍ ତଥା ଉତ୍ତର-ପୂର୍ବ ରାଜ୍ୟରେ କ୍ରିକେଟ୍‌ର ବିକାଶରେ ପ୍ରମୁଖ ଭୂମିକା ତୁଲାଇଛନ୍ତି।