ଏକାଦଶ ଜାତୀୟ ବିଲିୟାର୍ଡ୍ସ ଟାଇଟଲ୍ ଜିତିଲେ ଆଡ଼ଭାନୀ

ଭୋପାଳ,ଏଜେନ୍ସି: ଭାରତର ଶୀର୍ଷ କ୍ୟୁ ଖେଳାଳି ପଙ୍କଜ ଆଡ଼ଭାନୀ ଟାଇଟଲ୍ ଡିଫେଣ୍ଡ କରି ସାଥୀ ଖେଳାଳି ଧ୍ରୁବ ଶୀତୱାଲାଙ୍କୁ ୯ ଗେମ୍ ବିଶିଷ୍ଟ ଫାଇନାଲ୍‌ରେ ହରାଇ ସୋମବାର ଏକାଦଶ ଥର ପାଇଁ ଜାତୀୟ ବିଲିଆର୍ଡ୍ସ ଚାମ୍ପିଅନ୍ ହୋଇଛନ୍ତି। ସୋମବାର ବିଳମ୍ବିତ ରାତିରେ ଅନୁଷ୍ଠିତ ଫାଇନାଲ୍‌ରେ ଶୀତୱାଲାଙ୍କ ୬୪ ଓ ୪୨ ସ୍କୋର୍ ପରେ ଆଡ଼ଭାନୀ ୫୬ ଓ ୪୬ ସ୍କୋର୍ ସହ ପ୍ରାରମ୍ଭିକ ଦୁଇଟି ଗେମ୍‌ରେ ସ୍କୋର୍ ୧-୧ କରିଥିଲେ। ଶୀତୱାଲ୍ ୩ୟ ଗେମ୍‌ରେ ୬୪ ସ୍କୋର୍ ସହ ପୁଣିଥରେ ଅଗ୍ରଣୀ ବଜାୟ ରଖିଥିଲେ। ଚତୁର୍ଥ ଗେମ୍‌କୁ ୧୦୧ ସ୍କୋର୍ ସହ ନିଜ ନାମରେ କରିବାର ନିକଟତର ହୋଇଥିଲେ। ତେବେ ତାଙ୍କର ଗୋଟିଏ ତ୍ରୁଟି ଯୋଗୁଁ ଆଡ଼ଭାନୀ ପ୍ରତ୍ୟାବର୍ତ୍ତନ ସୁଯୋଗ ପାଇ ୧୨୭ରେ ବ୍ରେକ୍ କରିଥିଲେ।

ପ୍ରଥମ ଚାରିଟି ଗେମ୍‌ରେ ସ୍ଥିତି ୨-୨ ଥିଲା। ଏହାପରେ ଆଡ଼ଭାନୀ ଲଗାତାର ଦୁଇଟି ଗେମ୍‌ରେ ୧୫୦ ଲେଖାଏଁ ସ୍କୋର୍ କରି ଅଗ୍ରଣୀକୁ ୪-୨ କରିଥିଲେ। ପରବର୍ତ୍ତୀ ଗେମ୍‌ରେ ଶୀତୱାଲା ଆକର୍ଷଣୀୟ ପ୍ରଦର୍ଶନ କରି ୧୩୪ ସ୍କୋର୍ କରିଥିଲେ। ତେବେ ଏହା ପରେ ସେ ଲୟ ବଜାର ରଖିବାରେ ବିଫଳ ହୋଇଥିଲେ ଏବଂ ଆଡ଼ଭାନୀ ପ୍ରତ୍ୟାବର୍ତ୍ତନ ସୁଯୋଗ ପାଇ ୧୪୮ର ବ୍ରେକ୍ ସହ ଏହି ଗେମ୍ ସହିତ ମ୍ୟାଚ୍ ନିଜ ନାମରେ କରିନେଇଥିଲେ।