ଦ୍ୱିତୀୟ ଆଶେସ୍ ଟେଷ୍ଟ୍‌: ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ୧୯୨

ଆଡିଲେଡ୍‌,ଏଜେନ୍ସି: ଚଳିତ ଆଶେସ୍ ସିରିଜ୍‌ରେ ଘରୋଇ ଅଷ୍ଟ୍ରେଲିଆ ୨-୦ରେ ଅଗ୍ରଣୀ ଲାଭ କରିଛି । ୫ ମ୍ୟାଚ୍ ବିଶିଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌କୁ ଦଳ ଜିତି ଏଠାକୁ ୧-୦ର ଅଗ୍ରଣୀ ସହ ଆସିଥିବା ବେଳେ ଆଡିଲେଡ୍‌ରେ ଖେଳାଯାଇଥିବା ଦିବାରାତ୍ର ଟେଷ୍ଟ୍‌କୁ ୨୭୫ ରନ୍‌ରେ ଜିତିନେଇଛି । ଭ୍ରମଣକାରୀ ଇଂଲଣ୍ଡ ତା’ର ଦ୍ୱିତୀୟ ଇନିଂସରେ ଶୋଚନୀୟ ବ୍ୟାଟିଂ ଜାରି ରଖି ୧୯୨ ରନ୍‌ରେ ସୀମିତ ରହିଥିଲା । ୪୬୮ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିବା ଅଷ୍ଟ୍ରେଲିଆ ପକ୍ଷରୁ ପେସର୍ ଝାଇ ରିଚାର୍ଡସନ୍ କ୍ୟାରିୟର୍‌ରେ ପ୍ରଥମ ଥର ପାଇଁ ୫ ୱିକେଟ୍ ନେଇ ଇଂଲଣ୍ଡ ବିପର୍ଯ୍ୟୟର କର୍ଣ୍ଣଧାର ସାଜିଥିଲେ । ପ୍ରଥମ ଇନିଂସରେ ୧୦୩ ଓ ଦ୍ୱିତୀୟ ଇନିଂସରେ ୫୧ ରନ୍ କରିଥିବା ଅଷ୍ଟ୍ରେଲିଆର ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍ ମାର୍ନସ୍ ଲାବୁଶେନ୍ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି ।

ଅଷ୍ଟ୍ରେଲିଆ ଦେଇଥିବା ବଡ଼ ଟାର୍ଗେଟ୍‌ର ପିଛା କରିବାକୁ ଯାଇ ଇଂଲଣ୍ଡ ମ୍ୟାଚ୍‌ର ଚତୁର୍ଥ ଦିନରେ ରବିବାର ମାତ୍ର ୮୨ ରନ୍ ମଧ୍ୟରେ ୪ ଜଣ ଶୀର୍ଷ ଭାଗ ବ୍ୟାଟ୍ସମ୍ୟାନ୍‌ଙ୍କୁ ହରାଇଥିଲା । ଏଥିରେ ଦୁଇ ଓପନର ରୋରି ବର୍ନସ୍ ଓ ହସୀମ୍ ହମିଦ୍‌ଙ୍କ ସହ ଇନ୍‌ଫର୍ମ ବ୍ୟାଟ୍ସମ୍ୟାନ୍ ଡେୱିଡ୍ ମାଲାନ୍ ଓ ଅଧିନାୟକ ଜୋ ରୁଟ୍ ମଧ୍ୟ ରହିଥିଲେ । ରୁଟ୍ ଦିନର ଶେଷ ବଲ୍‌ରେ ଆଉଟ୍ ହେବା ଫଳରେ ପଞ୍ଚମ ଦିନରେ ଅଷ୍ଟ୍ରେଲିଆର ବିଜୟ ଏକରକମ ସୁନିଶ୍ଚିତ ହୋଇଯାଇଥିଲା । ଶେଷ ଦିନର ଖେଳ ସୋମବାର ଅପରାଜିତ ବ୍ୟାଟ୍ସମ୍ୟାନ୍ ଜୋ ରୁଟ୍ (୧୮) ସାଥୀ ବ୍ୟାଟ୍ସମ୍ୟାନ୍ ଓଲି ପୋପ୍‌ଙ୍କ ସହ ଆରମ୍ଭ କରିଥିଲେ । କିନ୍ତୁ ପୋପ୍ ମାତ୍ର ୪ ରନ୍ କରି ଆଉଟ୍ ହେବା ଫଳରେ ଇଂଲଣ୍ଡ ତା’ର ପଞ୍ଚମ ୱିକେଟ୍ ହରାଇଥିଲା । ଏହାପରେ ଦଳର ସମ୍ପୂର୍ଣ୍ଣ ଭାଗ୍ୟ ଅଲ୍‌ରାଉଣ୍ଡର୍ ଷ୍ଟୋକ୍ସଙ୍କ ଉପରେ ନିର୍ଭରଶୀଳ ରହିଥିଲା । କିନ୍ତୁ ଷ୍ଟୋକ୍ସଙ୍କୁ ୧୨ ରନ୍‌ରେ ଆଉଟ୍ କରି ଭେଟେରାନ୍ ସ୍ପିନର୍ ନାଥନ୍ ଲିଅନ୍ ଇଂଲଣ୍ଡକୁ ଷଷ୍ଠ ଝଟ୍‌କା ଦେବା ସହ ମ୍ୟାଚ୍ ବଞ୍ଚାଇବାର ସାମାନ୍ୟ ସମ୍ଭାବନାରେ ବି ପୂର୍ଣ୍ଣଚ୍ଛେଦ ପକାଇଥିଲେ । ଅବଶ୍ୟ ସପ୍ତମ ୱିକେଟ୍‌ରେ ଜୋସ୍ ବଟଲର୍ ଓ କ୍ରିସ୍ ଓକ୍ସ ସଂଘର୍ଷପୂର୍ଣ୍ଣ ୬୧ ରନ୍‌ର ଭାଗୀଦାରୀ କରିଥିଲେ । କିନ୍ତୁ ୭ଟି ଚୌକା ସହ ଓକ୍ସ ୪୪ ରନ୍ କରି ଆଉଟ୍ ହେବା ପରେ ଏହି ଭାଗୀଦାରୀ ଭାଙ୍ଗିଥିଲା । ପରେ ଓଲି ରବିନ୍‌ସନ୍ ୮ ରନ୍ କରି ପ୍ୟାଭିଲିୟନ୍ ଫେରିଥିବା ବେଳେ ବଟଲର୍ ହିଟ୍ ୱିକେଟ୍ ହୋଇଥିଲେ । ସେ ୨ଟି ଚୌକା ସହ ୨୬ ରନ୍ କରିଥିଲେ । ଶେଷ ବ୍ୟାଟ୍ସମ୍ୟାନ୍ ଜେମ୍ସ ଆଣ୍ଡର୍‌ସନ୍ (୨ ରନ୍‌)ଙ୍କୁ ଆଉଟ୍ କରି ରିଚାର୍ଡସନ୍ ତାଙ୍କର ପ୍ରଥମ ପାଞ୍ଚ ୱିକେଟ୍‌ର ସଫଳତା ପାଇଥିଲେ । ଅନ୍ୟପଟରେ ଷ୍ଟୁଆର୍ଟ ବ୍ରଡ୍ ୯ ରନ୍ କରି ଅପରାଜିତ ଥିଲେ । ପାଞ୍ଚ ୱିକେଟ୍‌ର ସଫଳତା ପାଇଁ ରିଚାର୍ଡସନ୍ ୪୨ ରନ୍ ବ୍ୟୟ କରିଥିଲେ । ଏହାଛଡ଼ା ମିଚେଲ୍ ଷ୍ଟାର୍କ ଓ ଲିଅନ୍ ୨ଟି ଲେଖାଏଁ ଏବଂ ମାଇକେଲ୍ ନେସର୍ ଅନ୍ୟ ୱିକେଟ୍‌ଟି ନେଇଥିଲେ । ସିରିଜ୍‌ର ତୃତୀୟ ଅର୍ଥାତ୍ ବକ୍ସିଂ ଡେ’ ଟେଷ୍ଟ୍‌ଟି ଆସନ୍ତା ୨୬ ତାରିଖରୁ ମେଲ୍‌ବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡ୍‌ରେ ଆରମ୍ଭ ହେବ ।