ଢାକା,ଏଜେନ୍ସି: ଚଳିତ ପୁରୁଷ ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ହକି ଟୁର୍ଣ୍ଣାମେଣ୍ଟ୍ର ଲିଗ୍ ପର୍ଯ୍ୟାୟରେ ସବୁଠାରୁ ଉପରେ ଥିବା ଡିଫେଣ୍ଡିଙ୍ଗ୍ ଚାମ୍ପିଅନ୍ ଭାରତ ମଙ୍ଗଳବାର ପ୍ରତିଯୋଗିତାର ସେମିଫାଇନାଲ୍ରେ ଏସିଆନ୍ ଗେମ୍ସ ଚାମ୍ପିଅନ୍ ଜାପାନକୁ ଭେଟିବ। ପ୍ରତିଯୋଗିତାର ଏହି ଦ୍ୱିତୀୟ ସେମିଫାଇନାଲ୍ ପୂର୍ବରୁ ପାକିସ୍ତାନ ଓ କୋରିଆ ବିପକ୍ଷରେ ପ୍ରଥମ ସେମି ମୁକାବିଲା ଖେଳାଯିବ। ଲିଗ୍ ପର୍ଯ୍ୟାୟରେ ଭାରତ ଅପରାଜେୟ ରହି ଟାଇଟଲ୍ ବଜାୟ ରଖିବା ଦିଗରେ ଅଗ୍ରସର ହୋଇଛି। ଦଳ ପ୍ରଥମ ମୁକାବିଲାକୁ କୋରିଆ ସହ ୨-୨ରେ ଡ୍ର’ ରଖି ଅଭିଯାନ ଆରମ୍ଭ କରିଥିଲା। ପରେ କ୍ରମାଗତ ଭାବେ ବାଂଲାଦେଶ ଓ ପାକିସ୍ତାନକୁ ହରାଇ ଦଳ ସେମିଫାଇନାଲ୍ରେ ନିଜର ସ୍ଥାନ ପକ୍କା କରିଥିଲା।
ତା’ଛଡ଼ା ଶେଷ ଲିଗ୍ ମ୍ୟାଚ୍ରେ ଜାପାନକୁ ବେଶ୍ ସହଜରେ ହରାଇ ଭାରତ ପଏଣ୍ଟ୍ ଟେବଲ୍ରେ ଶୀର୍ଷ ସ୍ଥାନ କାଏମ ରଖିବା ସହ ଅପରାଜେୟ ରହିଥିଲା। ଏହି ଟୁର୍ଣ୍ଣାମେଣ୍ଟ୍ରେ ଅଦ୍ୟାବଧି ଭାରତୀୟ ଦଳର ପ୍ରଦର୍ଶନ ନେଇ ସେମିଫାଇନାଲ୍ ମୁକାବିଲା ପୂର୍ବରୁ ଦଳର ମୁଖ୍ୟ କୋଚ୍ ଗ୍ରାହାମ୍ ରିଡ୍ କହିଛନ୍ତି ଯେ ଏହି ଟୁର୍ଣ୍ଣାମେଣ୍ଟ୍ରେ ଗୋଟିଏ ପରେ ଗୋଟିଏ ସଫଳତା ପାଇବା ଆଶାରେ ଆମେ ଯୋଗ ଦେଇଥିଲୁ। ଏ କ୍ଷେତ୍ରରେ ଆମକୁ ଆଶାନୁରୂପ ସଫଳତା ମଧ୍ୟ ମିଳିଛି। ବିଶେଷକରି ଏହି ଟୁର୍ଣ୍ଣାମେଣ୍ଟ୍ରେ ଅନେକ ଯୁବ ଖେଳାଳିଙ୍କୁ ସୁଯୋଗ ମିଳିଛି। ଗତ ୨ ବର୍ଷ ଭିତରେ ଟିମ୍ ଇଣ୍ଡିଆ ପକ୍ଷରୁ ଖେଳିବାର ସୁଯୋଗ ପାଇ ନ ଥିବା ଖେଳାଳିମାନଙ୍କୁ ଏଠାରେ ସେମାନଙ୍କ ପ୍ରତିଭା ପ୍ରଦର୍ଶନ ପାଇଁ ମଉକା ମିଳିଥିବା ବେଳେ ସେମାନେ ଏହାର ଭରପୂର ଫାଇଦା ମଧ୍ୟ ଉଠାଇଛନ୍ତି। ଟିମ୍ର ଖେଳାଳିମାନଙ୍କ ମଧ୍ୟରେ ସମନ୍ୱୟର ବିକାଶ ଘଟିବା ସହ ଉଭୟ ବ୍ୟକ୍ତିଗତ ଓ ଦଳଗତ ପ୍ରଦର୍ଶନରେ ସୁଧାର ଆଣିବା ମୁଖ୍ୟ ଲକ୍ଷ୍ୟ ରହିଥିବା ରିଡ୍ କହିଛନ୍ତି।
ସେହିପରି କୋରିଆ ବିପକ୍ଷରେ ଯଦିଓ ଆଶାନୁରୂପ ଫଳାଫଳ ମିଳି ନ ଥିଲା, କିନ୍ତୁ ପରବର୍ତ୍ତୀ ୩ଟି ମ୍ୟାଚ୍ରେ ଭାରତ ବିଜୟୀ ହୋଇ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଛି। ମଙ୍ଗଳବାରର ସେମିଫାଇନାଲ୍ରେ ମଧ୍ୟ ଖେଳାଳିମାନେ ସମାନ ଆଭିମୁଖ୍ୟ ନେଇ ଖେଳିବେ ବୋଲି ମୁଖ୍ୟ କୋଚ୍ ଆଶା ପ୍ରକାଶ କରିଛନ୍ତି। ସେହିପରି ଦଳର ଅଧିନାୟକ ମନପ୍ରୀତ୍ ସିଂହ କହିଛନ୍ତି ଯେ ଟୋକିଓ ଅଲିମ୍ପିକ୍ସରେ ଐତିହାସିକ ବ୍ରୋଞ୍ଜ୍ ଜିତିବା ପରେ ଏହା ଦଳର ପ୍ରଥମ ଅନ୍ତର୍ଜାତୀୟ ମୁକାବିଲା। ଏହି ଟୁର୍ଣ୍ଣାମେଣ୍ଟ୍ରେ ଯୋଗଦେବା ପୂର୍ବରୁ ଆମେ କଦାପି କୌଣସି ଦଳକୁ ହାଲକା ଭାବେ ନେବୁନାହିଁ ବୋଲି ମନସ୍ଥ କରିଥିଲୁ। ପ୍ରତିଯୋଗିତାର ସେମିଫାଇନାଲ୍ରେ ପ୍ରବେଶ କରିଥିବା ପ୍ରତିଟି ଦଳ ପାଖରେ ପ୍ରତିପକ୍ଷକୁ ଚକିତ କରିବାର ଦକ୍ଷତା ରହିଛି ଓ ସେମାନେ ନକଆଉଟ୍ରେ ଆହୁରି ଅଧିକ ଶକ୍ତିଶାଳୀ ପ୍ରଦର୍ଶନ କରିବେ ବୋଲି ମନପ୍ରୀତ୍ ଆଶା କରିଛନ୍ତି। ସେହିପରି ଗତ ମ୍ୟାଚ୍ରେ ଯଦିଓ ଜାପାନକୁ ଭାରତ ସହଜରେ ପରାସ୍ତ କରିଛି, ତଥାପି ସେମି ମୁକାବିଲାରେ ଏହି ଦଳ କଡ଼ା ଟକ୍କର ଦେବାର ସମ୍ଭାବନା ରହିଛି। ଗତ ମ୍ୟାଚ୍ରେ ଦଳ କରିଥିବା ତ୍ରୁଟିକୁ ମଙ୍ଗଳବାରର ନକଆଉଟ୍ ଲଢ଼େଇରେ ସୁଧାରିନେବାର ଆବଶ୍ୟକତା ରହିଛି ବୋଲି ଅଧିନାୟକ ମନପ୍ରୀତ୍ କହିଛନ୍ତି।