ହୁଏଲ୍ଭା(ସ୍ପେନ୍),ଏଜେନ୍ସି: ଚଳିତ ବିଡବ୍ଲ୍ୟୁଏଫ୍ ୱାର୍ଲ୍ଡ ଚାମ୍ପିଅନ୍ଶିପ୍ରେ ଭାରତର ଶୀର୍ଷ ପୁରୁଷ ସିଙ୍ଗଲ୍ସ ଖେଳାଳି କିଦାମ୍ବୀ ଶ୍ରୀକାନ୍ତଙ୍କ ଚମତ୍କାର ପ୍ରଦର୍ଶନ ରୌପ୍ୟ ପଦକ ସହ ଶେଷ ହୋଇଛି। ରବିବାର ଖେଳାଯାଇଥିବା ଫାଇନାଲ୍ରେ ସେ ସିଙ୍ଗାପୁରର ଲୋହ କିଆନ୍ ୟିଉଙ୍କଠାରୁ ୧୫-୨୧, ୨୦-୨୧ ସିଧାସଳଖ ଗେମ୍ରେ ପରାସ୍ତ ହୋଇ ରନର୍ସଅପ୍ରେ ସନ୍ତୁଷ୍ଟ ହୋଇଛନ୍ତି। ଶନିବାର ପ୍ରତିଯୋଗିତାର ସେମିଫାଇନାଲ୍ରେ ନିଜ ଦେଶର ଲକ୍ଷ୍ୟ ସେନ୍ଙ୍କୁ ପରାସ୍ତ କରି ପ୍ରଥମ ଭାରତୀୟ ପୁରୁଷ ସିଙ୍ଗଲ୍ସ ଖେଳାଳି ଭାବେ ଶ୍ରୀକାନ୍ତ ଫାଇନାଲ୍ରେ ସ୍ଥାନ ପକ୍କା କରିଥିଲେ। କିନ୍ତୁ ବିଶ୍ୱର ଏହି ପୂର୍ବତନ ଏକ ନମ୍ବର ଖେଳାଳି ଜଣକ ୪୩ ମିନିଟ୍ ଅବଧି ବିଶିଷ୍ଟ ଫାଇନାଲ୍ରେ ପରାସ୍ତ ହେବା ଫଳରେ ସ୍ୱର୍ଣ୍ଣପଦକ ବିଜୟ ଆଶା ଆଶାରେ ହିଁ ରହିଯାଇଛି।
ଫାଇନାଲ୍ର ପ୍ରଥମ ଗେମ୍ରେ ଶ୍ରୀକାନ୍ତ ଯଦିଓ ୯-୩ରେ ଆଗୁଆ ରହିଥିଲେ, ତଥାପି ସିଙ୍ଗାପୁର ପ୍ରତିଦ୍ୱନ୍ଦ୍ୱୀ ଜଣକ ଏହାକୁ ୧୬ ମିନିଟ୍ରେ ଶେଷ କରିଦେଇଥିଲେ। ଦ୍ୱିତୀୟ ଗେମ୍ରେ ଶ୍ରୀକାନ୍ତ ତାଙ୍କର ପ୍ରଦର୍ଶନ ସ୍ତରକୁ ସୁଧାରିଥିଲେ ମଧ୍ୟ ୟିଉଙ୍କୁ ଚାମ୍ପିଅନ୍ ହେବାରୁ ରୋକିପାରି ନ ଥିଲେ। ୨୪ ବର୍ଷୀୟ ୟିଉ ଏହି ଟୁର୍ଣ୍ଣାମେଣ୍ଟ୍ର ପ୍ରାରମ୍ଭରୁ ତାଙ୍କର ଜବରଦସ୍ତ ଫର୍ମ ପ୍ରଦର୍ଶନ କରିବାରେ ସକ୍ଷମ ହୋଇଥିଲେ। ସେ ପ୍ରଥମ ରାଉଣ୍ଡ୍ ମ୍ୟାଚ୍ରେ ବିଶ୍ୱର ଏକ ନମ୍ବର ଖେଳାଳି ତଥା ଗତ ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣପଦକ ଜିତିଥିବା ଭିକ୍ଟର ଆକ୍ସଲସନ୍ଙ୍କୁ ହରାଇ ସବୁଠାରୁ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଥିଲେ।
ଅନ୍ୟପକ୍ଷରେ ଭାରତ ପାଇଁ ପୁରୁଷ ସିଙ୍ଗଲ୍ସ ବର୍ଗରେ ସର୍ବକନିଷ୍ଠ ଶଟଲର୍ ଭାବେ ପଦକ ପକ୍କା କରିଥିବା ଯୁବ ଖେଳାଳି ଲକ୍ଷ୍ୟ ସେମିଫାଇନାଲ୍ରେ ଅଟକିଥିଲେ। ତାଙ୍କୁ ଶ୍ରୀକାନ୍ତ ଶନିବାର ଖେଳାଯାଇଥିବା ସେମିଫାଇନାଲ୍ରେ ୧୭-୨୧, ୨୧-୧୪, ୨୧-୧୭ରେ ପରାସ୍ତ କରିଥିଲେ। ଫଳସ୍ୱରୂପ ଲକ୍ଷ୍ୟଙ୍କୁ ବ୍ରୋଞ୍ଜ୍ ପଦକରେ ସନ୍ତୁଷ୍ଟ ରହିବାକୁ ପଡ଼ିଛି। ରେକର୍ଡ ବୁକ୍ରେ ନିଜ ନାମ ଦରଜ କରିଥିବା ଲକ୍ଷ୍ୟ ଯଦିଓ ଏହି ପ୍ରଦର୍ଶନରେ ସନ୍ତୁଷ୍ଟ ନ ଥିବା କହିଛନ୍ତି, ତଥାପି ଏହା ଆଗାମୀ ଦିନରେ ତାଙ୍କୁ ଆହୁରି ଆଗକୁ ଯିବାରେ ସହଯୋଗ କରିବ ବୋଲି ଲକ୍ଷ୍ୟ କହିଛନ୍ତି।
ଆଗାମୀ ଦିନରେ ଅଲ୍ ଇଂଲଣ୍ଡ ଚାମ୍ପିଅନ୍ଶିପ୍ ଓ ୨୦୨୨ ବର୍ମିଂହାମ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଚାମ୍ପିଅନ୍ ହେବାକୁ ଲକ୍ଷ୍ୟ ରଖିଥିବା ଲକ୍ଷ୍ୟ ବ୍ରୋଞ୍ଜ୍ ପଦକ ହାସଲ କରିବାରେ ନିଜର ପ୍ରତିକ୍ରିୟା ଦେବାକୁ ଯାଇ କହିଛନ୍ତି ଯେ ୱାର୍ଲ୍ଡ ଚାମ୍ପିଅନ୍ଶିପ୍ ଏକ ଦୀର୍ଘକାଳୀନ ଟୁର୍ଣ୍ଣାମେଣ୍ଟ୍ ହୋଇଥିବାରୁ ଏଥିରେ ଚାମ୍ପିଅନ୍ ହେବାର ନିକଟତର ହୋଇ ବି ବିଫଳ ହେବା କଷ୍ଟଦାୟକ ଅନୁଭୂତି। ବିଶେଷକରି ସେମିଫାଇନାଲ୍ର ପ୍ରଦର୍ଶନ ନେଇ ସେ ନିରାଶ ହୋଇଥିବା ୨୦ ବର୍ଷୀୟ ଲକ୍ଷ୍ୟ କହିଛନ୍ତି। ଲକ୍ଷ୍ୟ ତୃତୀୟ ଭାରତୀୟ ଭାବେ ୱାର୍ଲ୍ଡ ଚାମ୍ପିଅନ୍ଶିପ୍ ପୁରୁଷ ସିଙ୍ଗଲ୍ସରେ ପଦକ ଜିତି ତାଙ୍କ ମେଣ୍ଟର୍ ପ୍ରକାଶ ପାଦୁକୋନ୍ (୧୯୮୩) ଓ ବି. ସାଇ ପ୍ରଣୀତ (୨୦୧୯)ଙ୍କ ସମକକ୍ଷ ହୋଇଛନ୍ତି।
ଉଭୟ ଖେଳାଳି ପୂର୍ବରୁ ଭାରତ ପାଇଁ ଏହି ପ୍ରତିଯୋଗିତାରେ ବ୍ରୋଞ୍ଜ୍ ପଦକ ଜିତିଥିଲେ। ତାଙ୍କ ମେଣ୍ଟରଙ୍କ ରେକର୍ଡ ସମକକ୍ଷ ହୋଇ ସେ ବେଶ୍ ଗୌରବାନ୍ୱିତ। କିନ୍ତୁ ଆଗାମୀ ଦିନରେ ପାଦୁକୋନ୍ଙ୍କ ପରି ଅଲ୍ ଇଂଲଣ୍ଡ ଚାମ୍ପିଅନ୍ଶିପ୍ରେ ସ୍ୱର୍ଣ୍ଣପଦକ ଜିତିବା ନେଇ ସେ ବେଶ୍ ଦୃଢ଼ ଆଶା ରଖିଥିବା ଲକ୍ଷ୍ୟ କହିଛନ୍ତି। ଲକ୍ଷ୍ୟ ଓ ଶ୍ରୀକାନ୍ତଙ୍କୁ ସେମାନଙ୍କ ରେକର୍ଡ ପଦକ ବିଜୟ ପାଇଁ ଭାରତୀୟ ବ୍ୟାଡ୍ମିଣ୍ଟନ୍ ଆସୋସିଏସନ୍ (ବାଇ) ବଧେଇ ଜଣାଇଛି।