କୋଲକାତା,ଏଜେନ୍ସି: ଆଜି ସକାଳ ୭ ଟାରୁ କୋଲକାତାରେ ୧୪୪ ୱାର୍ଡ ପାଇଁ ମତଦାନ ଆରମ୍ଭ ହୋଇଛି। ୧୪୪ ଟି ୱାର୍ଡରେ ଶାନ୍ତି ଶୃଙ୍ଖଳାର ସହ ଭୋଟ ଦେଇଛନ୍ତି ମତଦାତା। କୋଭିଡ-୧୯ ର ସମସ୍ତ ପ୍ରୋଟକଲ ଅନୁସାରେ ନିର୍ବାଚନ ହେଉଥିବା ସୂଚନା। ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ପାଇଁ ସମସ୍ତ ବନ୍ଦୋବସ୍ତ କରାଯାଇଥିବା ରାଜ୍ୟ ନିର୍ବାଚନ କମିଶନ ସଚିବ କହିଛନ୍ତି।
ଆଜି ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ମତଦାନ କରାଯିବ। ୧୪୪ ଟି ୱାର୍ଡର ୪ ହଜାର ୯୫୯ ପୋଲିଂ ବୁଥରେ ମତଦାନ ଚାଲିଛି। ଶାନ୍ତି ଶୃଙ୍ଖଳା ପାଇଁ ସହରରେ ପ୍ରାୟ ୨୩ ହଜାର ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି ବୋଲି ଫୋର୍ସର ଜଣେ ଅଧିକାରୀ କହିଛନ୍ତି। ସେହିପରି ସହରର ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ୨୦୦ ରୁ ଅଧିକ ପୋଲିସ ପିକେଟିଂ ମଧ୍ୟ କରାଯାଇଛି ।
କ୍ରମାଗତ ତୃତୀୟ ଥର ପାଇଁ ନାଗରିକ ବୋର୍ଡ ବଜାୟ ରଖିବା ପାଇଁ ଶାସକ ତୃଣମୂଳ କଂଗ୍ରେସ ଲଢେଇ କରୁଥିବାବେଳେ ଦ୍ୱିତୀୟ ସ୍ଥାନ ସୁରକ୍ଷିତ ରଖିବା ପାଇଁ ବିଜେପି ସିପିଆଇ ଏମ୍ ପ୍ରତିଦ୍ୱନ୍ଦ୍ୱିତା କରିବ। ଚଳିତ ବର୍ଷର ବିଧାନସଭା ନିର୍ବାଚନରେ ଟିଏମସି ମହାନଗରର 16 ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜୟ ଲାଭ କରିଛି। ତେବେ ଆସନ୍ତା ୨୧ରେ ଭୋଟ ଗଣତି ହେବ।