ଓସିଏ ପାଇଁ ଖୁସି ଖବର, ଶୁଭ୍ରାଂଶୁ ସେନାପତିଙ୍କୁ ଆଇପିଏଲ ଡାକରା

କଟକ,ଏନ୍ଏନ୍ଏସ୍: ଓଡିଶା କ୍ରିକେଟ ସଂଘ ପାଇଁ ଖୁସି ଖବର। ଆଗାମୀ ଆଇପିଲରେ ନଜର ଆସିପାରନ୍ତି ଜଣେ ଓଡିଆ ଖେଳାଳି। ଓଡିଶା କ୍ରିକେଟ ଦଳର ଅଧିନାୟକ ଶୁଭ୍ରାଂଶୁ ସେନାପତିଙ୍କୁ ଆଇପିଏଲ ଫ୍ରାଞ୍ଚାଇଜ ଚେନ୍ନାଇ ସୁପରକିଙ୍ଗସର ଡାକରା । ସିଏସକେର ଟ୍ରାଏଲରେ ଯୋଗ ଦେବାକୁ ଚୟନ ହୋଇଛନ୍ତି ଶୁଭ୍ରାଂଶ। ଅନ୍ୟପଟେ ବିସିସିଆଇ ସମିତିରେ ସ୍ଥାନ ପାଇଛନ୍ତି ବଲାଙ୍ଗୀର ଦୌଡକୁ଼ଦ ସଂଘର ସମ୍ପାଦକ ହରିନାରାୟଣ ପୂଜାରୀ।

ଚେନ୍ନାଇ ସୁପରକିଙ୍ଗସ ଶିବିରରେ ଖୁବ ଶୀଘ୍ର ସାମିଲ ହେବେ ଶୁଭ୍ରାଂଶୁ। ଚଳିତ ବିଜୟ ହଜାର ଟ୍ରଫିରେ ଶୁଭ୍ରାଂଶୁଙ୍କ ପ୍ରଦର୍ଶନ ବେଶ ଉଚ୍ଚକୋଟୀର ଥିଲା। ପ୍ରଦର୍ଶନ ଆଧାରରେ ସୁପରକିଙ୍ଗସ ପକ୍ଷରୁ ଶୁଭ୍ରାଂଶୁଙ୍କୁ ଏହି ସୁଯୋଗ ଦିଆଯିବ। ହିମାଚଳ ପ୍ରଦେଶ ବିପକ୍ଷରେ ସେ ୫୭ ବଲରୁ ଧୂଆଁଧାର ୮୧ ରନ୍ କରିଥିଲେ। ବିଜୟ ହଜାରେ ଟ୍ରଫିରେ ସେ ୫ଟି ମ୍ୟାଚ ଖେଳି ୬୮.୭୫ ରନ ଆଭରେଜରେ ୨୭୫ ରନ ସଂଗ୍ରହ କରିଥିଲେ। ଏଥିରେ ଗୋଟିଏ ଶତକ ୨ଟି ଅର୍ଦ୍ଧଶତକ ସାମିଲ ଅଛି।

ଆନ୍ଧ୍ରପ୍ରଦେଶ ବିପକ୍ଷରେ ୧୧୬ ଶତକୀୟ ପାଳି ଖେଳିଥିଲେ। ଏହାଛଡା ଗତ ସୟଦ ମୁସ୍ତାକ ଅଲ୍ଲୀ ଟି- ଟ୍ବେଣ୍ଟିରେ ମଧ୍ୟ ତାଙ୍କର ପ୍ରଦର୍ଶନ ଭଲ ରହିଥିଲା। ୫ଟି ମ୍ୟାଚ ଖେଳି ୧୩୮ ରନ ସଂଗ୍ରହ କରିଥିଲେ ଶୁଭ୍ରାଂଶୁ। ଯେଉଁଥିରେ ଗୋଟିଏ ଅର୍ଦ୍ଧଶତକ ସାମିଲ ରହିଥିଲା।

ସେହିପରି ଓସିଏ ପାଇଁ ଅନ୍ୟ ଖୁସି ଖବର ହେଲା ବିସିସିଆଇର ଟୁର, ଫିକ୍ଚର ଓ ବୈଷୟିକ ସମିତିରେ ଓଡିଶାରୁ ବଲାଙ୍ଗୀର ଦୌଡକୁ଼ଦ ସଂଘର ସମ୍ପାଦକ ହରିନାରାୟଣ ପୂଜାରୀ ସ୍ଥାନ ପାଇଛନ୍ତି। ବିସିସିଆଇର ବାର୍ଷିକ ସାଧାରଣ ବୈଠକର ନିଷ୍ପତ୍ତି ଅନୁଯାୟୀ ଓଡିଆଙ୍କୁ ମିଳିଛି ଗୁରୁ ଦାୟିତ୍। ଆଗକୁ ବିସିସିଆଇ ପକ୍ଷରୁ ତାଙ୍କୁ ଯାହା ଦାୟିତ୍ବ ଦିଆଯିବ ତାକୁ ସୂଚାରୁ ରୂପେ ତୁଲାଇବେ ଏବଂ ଓଡିଶାର ଯେ କୌଣସି ଦାବିକୁ ସେ ବୋର୍ଡ ସମ୍ମୁଖରେ ଉପସ୍ଥାପନ କରିବେ ବୋଲି କହିଛନ୍ତି ହରିନାରାୟଣ ପୂଜାରୀ।