୧୨ ଘଣ୍ଟାରେ କେରଳରେ ୨ ନେତାଙ୍କୁ ନିର୍ମମ ହତ୍ୟା

ଥିରୁଅନନ୍ତପୁରମ,ଏଜେନ୍ସି: କେରଳର ଆଲପ୍ପୁଝାରେ ୨ ନେତାଙ୍କୁ ନିର୍ମମ ହତ୍ୟା କରାଯାଇଛି। ଜଣଙ୍କୁ ଘରେ ପଶି ହତ୍ୟା କରାଯାଇ ଥିବାବେଳେ ଅନ୍ୟ ଜଣଙ୍କୁ ରାସ୍ତାରେ ହାଣିଛନ୍ତି ଦୁର୍ବୃତ୍ତ। ଆତତାୟୀଙ୍କ ଆକ୍ରମଣରେ ସୋସିଆଲ ଡେମୋକ୍ରାଟିକ୍ ପାର୍ଟି ଅଫ୍ ଇଣ୍ଡିଆ ଏବଂ ଭାରତୀୟ ଜନତା ପାର୍ଟର ଦୁଇ ରାଜ୍ୟସ୍ତରୀୟ ନେତାଙ୍କ ମୃତ୍ୟୁ ଘଟିଛି। ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ସ୍ଥାନୀୟ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି।

ପୋଲିସର କହିବା ଅନୁସାରେ, ଗତ୧୨ ଘଣ୍ଟା ମଧ୍ୟରେ ରାଜ୍ୟରେ ଦୁଇ ରାଜନେତାଙ୍କୁ ବିଭତ୍ସ ହତ୍ୟା କରାଯାଇଛି। ଆଜି ସକାଳେ ଓବିସି ବିଜେପି ନେତା ରଞ୍ଜିତ ଶ୍ରୀନିବାସଙ୍କ ଘରେ ପଶି କିଛି ଦୁର୍ବୃତ୍ତ ହତ୍ୟା କରିଛନ୍ତି। ଏହାପୂର୍ବରୁ ଗତକାଲି(ଶନିବାର) ବିଳମ୍ବିତ ରାତିରେ ସୋଶାଲ ଡେମୋକ୍ରାଟିକ ପାର୍ଟି ଅଫ୍ ଇଣ୍ଡିଆ ନେତା କେ ଏସ ଶାନ ବାଇକରେ ଯାଉଥିବା ସମୟରେ ପଛପଟୁ ଏକ କାର୍ ତାଙ୍କୁ ଧକ୍କା ଦେଇଥିଲା। ଏହାପରେ ସେ ରାସ୍ତାରେ ପଡିଯିବାରୁ କାରରୁ ଆସି କିଛି ଦୁର୍ବୃତ୍ତ ନିର୍ମମ ଭାବେ ତାଙ୍କୁ ହତ୍ୟା କରିଛନ୍ତି।

ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ଶରୀରରେ ୪୦ଟି କ୍ଷତ ସ୍ଥାନ ଥିବା ଜଣାପଡିଛି। ତେବେ ଗତ ୧୨ ଘଣ୍ଟା ମଧ୍ୟରେ ୨ ନେତାଙ୍କ ଏପରି ହତ୍ୟାକୁ ନେଇ ଆଲପ୍ପୁଝାରେ ଅସନ୍ତୋଷ ପ୍ରକାଶ ପାଇଛି। ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। ପୋଲିସ ମାମଲାରେ ୧୧ ଜଣଙ୍କୁ ଗିରଫ କରିଥିବା କହିଛି। ଅନ୍ୟପଟେ ଏହି ହତ୍ୟାକାଣ୍ଡ ପାଇଁ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ଆରଏସଏସ୍କୁ ଦାୟୀ କରିଛି ସୋସିଆଲ୍‌ ଡେମୋକ୍ରାଟିକ୍‌ ପାର୍ଟି ଅଫ୍ ଇଣ୍ଡିଆ।