ନୂଆଦିଲ୍ଲୀ/ବାଲେଶ୍ବର,ଏଜେନ୍ସି: ଓଡ଼ିଶା ଉପକୂଳ ଅନ୍ତର୍ଗତ ଡକ୍ଟର୍ ଏପିଜେ ଅବ୍ଦୁଲ୍ କଲାମ୍ ଦ୍ବୀପରୁ ଆଜି ଆଣବିକ କ୍ଷମତାସମ୍ପନ୍ନ ଅଗ୍ନି-ପି (ପ୍ରାଇମ୍) କ୍ଷେପଣାସ୍ତ୍ରର ସଦ୍ୟତମ ମଡେଲ୍ର ସଫଳ ପରୀକ୍ଷା କରାଯାଇଛ। ପୂର୍ବାଞ୍ଚଳ ଉପକୂଳରେ ସ୍ଥାପିତ କେତେକ ‘ଟେଲିମେଟ୍ରି’ ଏବଂ ‘ରାଡାର୍’ ଷ୍ଟେସନ୍ ଉପରୋକ୍ତ କ୍ଷେପଣାସ୍ତ୍ର ଉପରେ ନଜର ରଖିବା ସହ ତାହାର ଗତିକୁ ଅନୁଧ୍ୟାନ କରିଥିଲେ।
‘ଅଗ୍ନି-ପି’ ହେଉଛି ‘ଅଗ୍ନି’ ବର୍ଗର କ୍ଷପଣାସ୍ତ୍ରଗୁଡ଼ିକ ମଧ୍ୟରେ ସବୁଠୁ ଉନ୍ନତ ମଡେଲ୍। ନେଭିଗେସନ୍ ଏବଂ ଗାଇଡାନ୍ସ୍ ବ୍ୟବସ୍ଥା ଥିବା ଏହି କ୍ଷେପଣାସ୍ତ୍ରକୁ ରେଲ୍ ଓ ସଡ଼କରୁ ଉତ୍କ୍ଷେପଣ କରିହେବା ସହ ଦୀର୍ଘ ଦିନ ଧରି ଏହାକୁ ଗଚ୍ଛିତ ରଖିହେବ। ଆବଶ୍ୟକ ଅନୁଯାୟୀ ଦେଶର ଯେକୌଣସି ସ୍ଥାନକୁ ମଧ୍ୟ ଏହାର ପରିବହନ କରାଯାଇ ପାରିବ। ୧୦୦୦ ରୁ ୨୦୦୦ କିଲୋମିଟର୍ ଦୂର ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ କରୁଥିବା ଉପରୋକ୍ତ କ୍ଷପଣାସ୍ତ୍ରଟି ଅଗ୍ନି-୩ କ୍ଷେପଣାସ୍ତ୍ରର ଓଜନ ଠାରୁ ଅଧା ହେବ।
ଜଣେ ସରକାରୀ ଅଧିକାରୀ କହିଛନ୍ତି, ଏଥର କରାଯାଇଥିବା ପରୀକ୍ଷାରେ ଆଣବିକ କ୍ଷମତାସମ୍ପନ୍ନ ଯୁଦ୍ଧ ନିପୁଣ କ୍ଷେପଣାସ୍ତ୍ର ‘ଅଗ୍ନି ପ୍ରାଇମ୍’ରେ ଗୁଡ଼ାଏ ନୂତନ ବୈଶିଷ୍ଟ୍ୟ ସଂଯୁକ୍ତ କରାଯାଇଛି। ନିର୍ଦ୍ଧାରଣ କରାଯାଇଥିବା ଆଭିଯାନିକ ଲକ୍ଷ୍ୟ ସବୁକୁ ଏହି କ୍ଷେପଣାସ୍ତ୍ର ପରୀକ୍ଷା ସଠିକ୍ ଭାବେ ହାସଲ କରିଛି। ସଫଳ ବ୍ୟବହାରିକ ପରୀକ୍ଷା ପାଇଁ ‘ଡିଆର୍ଡିଓ’କୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଅଭିନନ୍ଦନ ଜଣାଇବା ସହ ଏହାର ଚମତ୍କାରିତା ପାଇଁ ଆନନ୍ଦିତ ହୋଇଛନ୍ତି।