ମୁମ୍ବାଇ: ସମଗ୍ର ବିଶ୍ୱରେ କରୋନା ଭୟାବହ ଦିନକୁଦିନ ବଢ଼ିବାରେ ଲାଗିଛି। ଏହାର ପ୍ରଭାବ ଏବେ ମିସ୍ ୱାର୍ଲଡ ପ୍ରତିଯୋଗିତାରେ ମଧ୍ୟ ଦେଖିବାକୁ ମିଳିଛି। ରିପୋର୍ଟସ ମୁତାବକ, ପ୍ରତିଯୋଗିତାରେ ଭାଗ ନେଇଥିବା ୧୭ଜଣ ପ୍ରତିଯୋଗୀ କରୋନାରେ ସଂକ୍ରମିତ ହୋଇଛନ୍ତି। ସେଥିମଧ୍ୟରୁ ଭାରତର ମାନସା ବାରାଣସୀ ମଧ୍ୟ ସାମିଲ ରହିଛନ୍ତି। କରୋନା ମାମଲା ସାମ୍ନାକୁ ଆସିବା ଫଳରେ ପ୍ରତିଯୋଗିତାକୁ ସ୍ଥଗିତ ରଖାଯାଇଛି। ଏନେଇ ମିସ୍ ୱାର୍ଲଡର ଅଫିସିଆଲ ପେଜରେ ସୂଚନା ଦିଆଯାଇଛି। ସମସ୍ତଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ପ୍ରତିଯୋଗିତାକୁ ଅସ୍ଥାୟୀ ରୂପେ ସ୍ଥଗିତ ରଖାଯାଇଛି।
ସୂଚନାଯୋଗ୍ୟ, ଆଜି ସକାଳ ୪ଟା ୩୦ ମିନିଟରେ ପ୍ରତିଯୋଗିତାର ଗ୍ରାଣ୍ଡ ଫିନାଲେ ଅନୁଷ୍ଠିତ ହୋଇଥାନ୍ତା। ହେଲେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରତିଯୋଗିତାକୁ ସ୍ଥଗିତ ରଖାଯାଇଛି। ଏଥିସହିତ ୯୦ ଦିନ ମଧ୍ୟରେ ପ୍ୟୁରେଟୋ ରିକୋରେ ପୁଣିଥରେ ପ୍ରତିଯୋଗିତାର କାର୍ଯ୍ୟକ୍ରମ ସୂଚୀ ପ୍ରସ୍ତୁତ କରାଯିବ। ସମସ୍ତ ଆକ୍ରାନ୍ତଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି। ଏଥିସହିତ ସ୍ୱାସ୍ଥ୍ୟ ଅଧିକାରୀ ଅନୁମତି ଦେବା ପରେ ପ୍ରତିଯୋଗୀ ସ୍ୱଦେଶ ଫେରିପାରିବେ ବୋଲି ଜଣାପଡ଼ିଛି।