ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମ ସହ ଆଉ ଏକ ଅନ୍ତରାଷ୍ଟ୍ରୀୟ ନାଗରିକ ସମ୍ମାନ ଯୋଡ଼ିବାକୁ ଯାଉଛି। ପଡ଼ୋଶୀ ରାଷ୍ଟ୍ର ଭୁଟ୍ଟାନ ମୋଦୀଙ୍କୁ ନିଜର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରିବ। ଏନେଇ ଭୁଟ୍ଟାନ ତରଫରୁ ଘୋଷଣା କରାଯାଇଛି। ଏହାପୂର୍ବରୁ ଅନେକ ଦେଶ ନିଜର ସର୍ବୋଚ୍ଚ ନାଗରିକ ସମ୍ନାନରେ ମୋଦୀଙ୍କୁ ସମ୍ମାନିତ କରିସାରିଛନ୍ତି।
ଭୁଟ୍ଟାନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ମୋଦୀଙ୍କ ଭୁଟ୍ଟାନ ଯାତ୍ରାର ଏକ ଫଟୋ ସେୟାର କରାଯାଇଛି। ଫଟୋ ସହ ଲେଖାଯାଇଛି କି, ‘ଭୁଟ୍ଟାନର ସର୍ବୋଚ୍ଚ ନାଗରିକ ସମ୍ମାନରେ ପିଏମ ମୋଦୀଙ୍କୁ ସମ୍ମାନିତ କରିବାର ନିଷ୍ପତ୍ତିକୁ ନେଇ ଆମେ ବେଶ୍ ଖୁସି ଅଛୁ। କରୋନା ମହାମାରୀ ଏବଂ ବିଗତ ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁଟ୍ଟାନକୁ ଯେଉଁ ସହଯୋଗ ଓ ସମର୍ଥନ କରିଛନ୍ତି ତାହା ଅତୁଳନୀୟ। ଆପଣ ଏହି ସମ୍ମାନର ହକଦାର। ଭୁଟ୍ଟାନ ଲୋକଙ୍କ ତରଫରୁ ଆପଣଙ୍କୁ ଅନେକ ଶୁଭକାମନା।
ସୂଚନାଯୋଗ୍ୟ, ଭୁଟ୍ଟାନ ପୂର୍ବରୁ ସାଉଦି ଆରବ, ଆଫଗାନିସ୍ତାନ, ଫିଲିସ୍ତାନ, ସଂଯୁକ୍ତ ଅରବ ଅମୀରତ, ଋଷ ଓ ମାଲଦ୍ୱୀପ ମୋଦୀଙ୍କୁ ନିଜର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରିଛନ୍ତି।